Report Card Odisha

| Daily Odia News

ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ଦେଶକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ଅଧୀନରେ ପ୍ରତିଷ୍ଠା କରାଯାଇଥିବା ୩୫ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ ଅକ୍ସିଜେନ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଉତ୍ତରାଖଣ୍ଡର ରିଷିକେଶସ୍ଥିତ ଏମ୍ସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ଲାଣ୍ଟଗୁଡ଼ିକୁ ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ସମର୍ପିତ କରିଛନ୍ତି । ଏହି ସୁବିଧା ସହିତ ବର୍ତ୍ତମାନ ଦେଶର ସବୁ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଉତ୍ତରାଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ରାଜ୍ୟର ବହୁ ମନ୍ତ୍ରୀ, ସ୍ବାସ୍ଥ୍ୟସେବା କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଆଜିଠାରୁ ଆରମ୍ଭ ହେଉଥିବା ନବରାତ୍ରୀ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ମା’ ଶୈଳପୁତ୍ରୀଙ୍କୁ ନବରାତ୍ରୀର ପ୍ରଥମ ଦିନରେ ପୂଜା କରାଯାଇଥାଏ। ଶୈଳପୁତ୍ରୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ। “ଆଜି ମୁଁ ଏଠାକୁ ଆସି, ହିମାଳୟର ପବିତ୍ର ଭୂମିରେ, ଏହି ମାଟିକୁ ପ୍ରଣାମ କରୁଛି, ଜୀବନରେ ଏହାଠାରୁ ବଡ଼ ଆଶୀର୍ବାଦ ଆଉ କ’ଣ ହୋଇପାରେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ସହ ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଲାଗି ସେ ରାଜ୍ୟକୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତରାଖଣ୍ଡ ସହିତ ତାଙ୍କ ସମ୍ପର୍କର ବନ୍ଧନ କେବଳ ହୃଦୟରେ ନୁହେଁ, ବରଂ କାର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି। ଏହା କେବଳ ଅନୁଭୂତି ନୁହେଁ ଏକ ଉପାଦାନ ମଧ୍ୟ।ଆଜିର ତାରିଖ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ସେ ଜନସେବା କରିବାର ଦାୟିତ୍ବ ପାଇଥିଲେ। ସେ ଆହୁରି କହିଥିଲେ ଯେ, ଲୋକମାନଙ୍କୁ ସେବା କରିବାର ଏହି ଯାତ୍ରା, ଲୋକମାନଙ୍କ ମଧ୍ୟରେ ରହିବାର ଏହି ଯାତ୍ରା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସିଛି। କିନ୍ତୁ ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା। ଏହି ଯାତ୍ରାର ଆରମ୍ଭ ସହିତ ଉତ୍ତରାଖଣ୍ଡର ସଂଯୋଗ ରହିଥିବା ସେ ଉଲ୍ଲେଖ କରିଥିଲେ। ଉତ୍ତରାଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ହେବାର କିଛି ମାସ ପରେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ସେ କହିଥିଲେ ଯେ, ଲୋକମାନଙ୍କ ଆଶୀର୍ବାଦ ବଳରେ ସେ ପ୍ରଧାନମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିବେ ବୋଲି ସେ କେବେ ବି କଳ୍ପନା କରିନଥିଲେ। ସରକାରଙ୍କ ମୁଖ୍ୟ ଭାବେ ଏହି କ୍ରମାଗତ ଯାତ୍ରା ପାଇଁ ସେ ଉତ୍ତରାଖଣ୍ଡ ଏବଂ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯୋଗ ଏବଂ ଆୟୁର୍ବେଦ ଭଳି ଜୀବନ ରକ୍ଷାକାରୀ ଶକ୍ତି ସୁଦୃଢ଼ ହୋଇଥିବା ମାଟିରୁ ଦେଶକୁ ଅକ୍ସିଜେନ୍ ପ୍ଲାଣ୍ଟ ସମର୍ପିତ ହେଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅତି କମ ସମୟରେ କରୋନା ମହାମାରୀ ବିରୋଧରେ ଲଢ଼ିବା ଲାଗି ଭାରତର ପ୍ରସ୍ତୁତି ଆମ ଦେଶର ସାମର୍ଥ୍ୟକୁ ଦର୍ଶାଉଛି। ମହାମାରୀ ପୂର୍ବରୁ ଦେଶରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ଆମେ ଏବେ ଦେଶରେ ୩୦୦୦ରୁ ଅଧିକ ପରୀକ୍ଷାଗାର ନିର୍ମାଣ କରିସାରିଛୁ। ମାସ୍କ ଓ କିଟ ଭଳି ସାମଗ୍ରୀର ଆମଦାନୀକାରୀରୁ ଭାରତ ଏବେ ରପ୍ତାନିକାରୀ ପାଲଟିଛି। ଦେଶର ଉପାନ୍ତ ଇଲାକାରେ ମଧ୍ୟ ନୂଆ ଭେଣ୍ଟିଲେଟର ସୁବିଧା ଉପଲବ୍ଧ କରାଯାଇ ପାରିଛି। ମେଡ୍ ଇନ୍ ଇଣ୍ଡିଆ କରୋନା ଟିକା ଉତ୍ପାଦନ କରିବାରେ ଭାରତ ଦ୍ରୁତ ଏବଂ ବ୍ୟାପକ ପ୍ରଗତି ହାସଲ କରିପାରିଛି। ଭାରତ ବିଶ୍ବର ସର୍ବବୃହତ ଏବଂ ଦ୍ରୁତ କରୋନା ଟିକାକରଣ ଅଭିଯାନ କାର୍ୟ୍ୟକାରୀ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ଯାହା କରିଛି ତାହା ଆମ ପ୍ରତିବଦ୍ଧତା, ଆମର ସେବା ଏବଂ ଆମ ସଦ୍ଭାବର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ଦିନରେ ଭାରତ ୯୦୦ ମେଟ୍ରିକ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ ଦୈନିକ ଉତ୍ପାଦନ କରୁଥିଲା । ଚାହିଦା ବଢ଼ିବା ପରେ, ଭାରତ ଏବେ ଦଶଗୁଣା ଅଧିକ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ କରୁଛି। ସେ ଆହୁରି କହିଥିଲେ ଯେ ବିଶ୍ବର ଯେକୌଣସି ରାଷ୍ଟ୍ର ପାଇଁ ଏହା ଏକ କଳ୍ପନାତୀତ ଲକ୍ଷ୍ୟ ହୋଇଥିବା ବେଳେ ଭାରତ ଏହାକୁ ହାସଲ କରିପାରିଛି।

Breaking News