ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
୨୦୨୧ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର। ପ୍ରମୋଦଙ୍କ ସମେତ ମୋଟ ୧୨ ଜଣ କ୍ରୀଡ଼ାବିତଙ୍କୁ ଚଳିତ ବର୍ଷ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପ୍ରମୋଦ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଥିଲେ।ମଙ୍ଗଳବାର କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଥିବା ସୂଚନା ମିଳିଛି | ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ ହୋଇନାହାନ୍ତି | ପ୍ରମୋଦ ଭଗତ ଯେକି ପ୍ରଥମ ଓଡ଼ିଆ ‘ଖେଳ ରତ୍ନ’ ପୁରସ୍କାର ପାଇବେ |
ସେହିପରି ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରମୋଦଙ୍କ ବ୍ୟତୀତ ‘ଖେଳ ରତ୍ନ’ ପାଇବାକୁ ଥିବା ଅନ୍ୟ କ୍ରୀଡ଼ାବିତ୍ ମାନେ ହେଲେ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ଏମ୍ ନରୱାଲ୍। ଆସନ୍ତା ନଭେମ୍ବର ୧୩ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବେ। ଚଳିତଥର ମୋଟ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ପାରା ଟେବୁଲ୍ ଟେନିସ୍ ଷ୍ଟାର୍ ଭାବିନା ପଟେଲ୍, ପାରା ଆର୍ଚର୍ ହରବିନ୍ଦର ସିଂହ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବେ। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମର ୧୬ ଜଣ ଖେଳାଳି ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବେ। ହକି ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ରହିଛନ୍ତି। ସେହିପରି ଚଳିତ ବର୍ଷ ୧୦ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ୫ ଜଣଙ୍କୁ ଧ୍ୟାନ ଚାନ୍ଦ ଲାଇଫ୍ ଟାଇମ୍ ଆଚିମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ।
More Stories
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….