ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଦକୁ ନେଇ ଆସିଥିବା ତଥ୍ୟ ଅନୁଯାୟୀ- ଓଡ଼ିଶାରେ ଗୋଟିଏ ମଦ ବୋତଲ ଦାମ ଯଦି ୨୦୦ ଟଙ୍କା, ସେଥିରେ ପାଖାପାଖି ୧୨୦ ଟଙ୍କା ହେଉଛି ଅବକାରୀ ଟିକସ। କିନ୍ତୁ ଅରୁଣାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର ନିର୍ଦ୍ଦିଷ୍ଟ ମଦ ଫ୍ୟାକ୍ଟ୍ରିରୁ ବିନା ଟିକସ ବିଦେଶୀ ମଦ ଏବେ ଓଡ଼ିଶାର ଲାଇସେନ୍ସ ପ୍ରାପ୍ତ ସରକାରୀ ମଦ ଦୋକାନରେ ମିଳୁଛି। ଫଳରେ ରାଜ୍ୟର ମଦ ଦୋକାନ ଓଡ଼ିଶାର ସରକାରୀ ଡିପୋରୁ ଅଧିକ ମଦ ନଉଠାଇ ସେହି ସବୁ ରାଜ୍ୟରୁ ମଦ ଉଠାଉଛନ୍ତି। ଏଥିରେ ସରକାର ରାଜସ୍ବ ହରାଉଥିବା ବେଳେ ମଦ ବ୍ୟବସାୟୀ ଓ ମାଫିଆ ଲାଭରେ ରହୁଛନ୍ତି। ସେହି ରାଜ୍ୟର ମଦ ଫ୍ୟାକ୍ଟ୍ରି ମାଲିକ ଥରେ ମାତ୍ର ଅବକାରୀ ଡ୍ୟୁଟି ଜମା କରି ଟ୍ରାନଜିଟ୍ ପରମିଟ୍ ହାତେଇ ସାରିଲା ପରେ ପାଖାପାଖି ୪ରୁ ୫ ଥର ବିନା ଟିକସ ପୈଠରେ ମଦ ଯୋଗାଉ ଛନ୍ତି। ଗଲା ଜୁନ୍ ମାସ ପରଠାରୁ ଏଭଳି ବେଆଇନ କାରବାର ମଦ ମାଫିଆମାନେ ଆରମ୍ଭ କରିଥିବାରୁ ଅବକାରୀ ବିଭାଗ କିଭଳି ସ୍ଥିତିର ମୁକାବିଲା କରିବ, ସେନେଇ ଚିନ୍ତାରେ ପଡ଼ିଛି। ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ଯେକୌଣସି ସରକାରୀ ଡିପୋକୁ ରାଜ୍ୟ ଭିତର ଅଥବା ବାହାର ମଦ ଫ୍ୟାକ୍ଟ୍ରି ମଦ ପଠାଇବା ପୂର୍ବରୁ ପ୍ରଥମେ ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଅବଗତ କରିବ। ଅବକାରୀ ଡ୍ୟୁଟି ଖୋର୍ଧା ଅବକାରୀ ବିଭାଗ ଆଦାୟ କରିବା ପରେ ସମ୍ପୃକ୍ତ ଡିପୋକୁ ମଦ ଆଣିବାକୁ ଫ୍ୟାକ୍ଟ୍ରିକୁ ଅନୁମତି ମିଳିଥାଏ। ଏବେ ମୁଖ୍ୟତଃ ଏହି ତିନୋଟି ରାଜ୍ୟରେ ଥିବା ନିର୍ଦ୍ଦିଷ୍ଟ ମଦ ଫ୍ୟାକ୍ଟ୍ରି ଥରେ ଡ୍ୟୁଟି ଜମା କରି ମଦ ଡିପୋକୁ ଥରେ ମଦ ଯୋଗାଉଥିବା ବେଳେ ପରେ ସେହି ସମାନ ପରମିଟ୍ ବ୍ୟବହାର କରି ସିଧାସଳଖ ଲାଇସେନ୍ସପ୍ରାପ୍ତ ସରକାରୀ ଦୋକାନକୁ ମଦ ଚାଲାଣ କରୁଛନ୍ତି। ସେହି ମଦ ବୋତଲରେ ଓଡ଼ିଶା ଅବକାରୀ ବିଭାଗର ନକଲି ଲେବଲ୍ ବି ଲାଗୁଛି। ନକଲି ଲେବଲ୍କୁ କଲିକତାର ବଡ଼ ବଜାରରୁ ଆମଦାନୀ କରୁଛନ୍ତି ଓଡ଼ିଶାର ମଦ ବ୍ୟବସାୟୀ। ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏଭଳି ଗୋଟିଏ ଟ୍ରକ୍ ଟିକସ୍ ଫାଙ୍କି ମଦ ଯୋଗାଣରେ ସରକାର ଅତିକମରେ ୧୦ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..