ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀ ଲିଙ୍ଗରାଜ ମନ୍ଦିର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବାଟ ଫିଟିଛି। ଏଥି ପାଇଁ ଗତ ବର୍ଷ ଡିସେମ୍ବରରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏକ ପ୍ରସ୍ତାବକୁ ଯୋଡ଼ାଯାଇଛି। ଏହାକୁ ଆଜି କ୍ୟାବିନେଟ୍ ଅନୁମୋଦନ ଦେଇଛି। ଫଳରେ ସରକାର ତୁରନ୍ତ ନୂଆ ଆଇନ ବଳରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ହାତକୁ ନେଇପାରିବେ। ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ରାଜ୍ୟ ସରକାର ନୂଆ ଆଇନ୍ ପ୍ରସ୍ତୁତ କରିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗତ ବର୍ଷ ଡିସେମ୍ବର ମାସରେ ଅଧ୍ୟାଦେଶ ଆଣିଥିଲେ। ଏହି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପାଇଁ ପଠାଯାଇଥିଲା। ତେବେ ଏହି ଅଧ୍ୟାଦେଶରେ ଏକ ଧାରା ଯୋଡ଼ିବା ପାଇଁ ଭାରତ ସରକାର ପ୍ରସ୍ତାବ ଦେଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଧାରା ସାମିଲ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ) ଦ୍ବାରା ସଂରକ୍ଷଣ କରାଯାଉଥିବା ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ‘ଅମ୍ସାର୍ ଆଇନ’ର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବ ବୋଲି ଏକ ବ୍ୟବସ୍ଥା ଅଧ୍ୟାଦେଶରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ସଂସ୍କୃତି ମନ୍ତ୍ରଣାଳୟର ପ୍ରସ୍ତାବ ଭିତ୍ତିରେ ଏହାକୁ ଅଧ୍ୟାଦେଶର ଧାରା ୪ ଆକାରରେ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହା ଦ୍ବାରା ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଓ ଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ମିଳିପାରିବ। ଏହାସହ ମନ୍ଦିରର ସଂପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି, ପରିସର ଭିତରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସଂପର୍କିତ ବ୍ୟାପାର ଗୁଡ଼ିକର ସୁପରିଚାଳନା ଓ ସୁଶାସନ ପାଇଁ ଏହାର ପରିଚାଳନା ଦାୟିତ୍ବ ଏକ କମିଟିକୁ ନ୍ୟସ୍ତ କରାଯିବ। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, ଦାୟିତ୍ବ ଓ କ୍ଷମତା, ପରିଚାଳକାଙ୍କ କ୍ଷମତା ଓ ଦାୟିତ୍ବ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସଂପତ୍ତିର ସୁରକ୍ଷା ଓ ପରିଚାଳନା, ସେବକମାନଙ୍କ ଭୂମିକା ଓ ଦାୟିତ୍ବ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ପ୍ରଭୃତି ରହିଛି। ନିକଟ ଅତୀତରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ସରକାର ଗୁରୁତ୍ବ ଦେଇଛନ୍ତି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..