Report Card Odisha

| Daily Odia News

ସରକାର ଆଣିବାକୁ ଯାଉଛନ୍ତି କ୍ରିପ୍ଟୋକରେନ୍ସି ବିଲ୍‍……

FILE PHOTO: A collection of Bitcoin (virtual currency) tokens are displayed in this picture illustration taken Dec. 8, 2017. REUTERS/Benoit Tessier/Illustration/File Photo

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କ୍ରିପ୍ଟୋକରେନ୍ସି କୁ ନେଇ ସରକାର ନୂଆ ବିଲ ଆଣିବାକୁ ଯାଉଛନ୍ତି | କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତ ଅଧିବେଶନ କାଳରେ କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍‍ ଆଗତ କରିବାକୁ ଯୋଜନା କରିଛନ୍ତି । ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାର ପ୍ରାୟ ୨୬ଟି ବିଲ୍ ଗୃହରେ ଉପସ୍ଥାପନ କରିବେ। ଏହା ମଧ୍ୟରେ କ୍ରିପ୍ଟୋକରେନ୍ସି ସଂକ୍ରାନ୍ତ ବିଲ୍ ମଧ୍ୟ ରହିଛି। ଏହାଦ୍ୱାରା ସରକାରୀ ସ୍ତରରେ ଏକ ଡିଜିଟାଲ ମୁଦ୍ରା ବ୍ୟବସ୍ତା ସୃଷ୍ଟି କରାଯିବା ପଥ ସୁଗମ ହୋଇପାରିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ଡିଜିଟାଲ ମୁଦ୍ରା ପ୍ରଚଳନ କରାଯିବ । ସେଥିପାଇଁ ସରକାର ‘କ୍ରିପ୍ଟୋକରେନ୍ସି ଏବଂ ସରକାରୀ ଡିଜିଟାଲ ମୁଦ୍ରା ନିୟନ୍ତ୍ରଣ ବିଲ୍‍, ୨୦୨୧’ ଆଣିବାକୁ ଯାଉଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସରକାରୀ ସୂତ୍ରରୁ ଏପରି ଖବର ପ୍ରକାଶ କରିଛି। ବିଲ୍ ଜରିଆରେ କେନ୍ଦ୍ର ସରକାର ଦେଶରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାରର ଘରୋଇ କ୍ରିପ୍ଟୋକରେନ୍ସି ଉପରେ ବ୍ୟାନ ଲଗାଇବେ। କିନ୍ତୁ କେତେକ ନୀତିକୁ ଅନୁମତି ଦିଆଯାଇପାରେ। ଏଥିସହ ଆରବିଆଇ ଅଫିସିଆଲ ଡିଜିଟାଲ କରେନ୍ସି ତିଆରି ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ। ଗତ କିଛି ଦିନ ହେବ କ୍ରିପ୍ଟୋକରେନ୍ସି ଉପରେ କଟକଣା ଲଗାଇବାକୁ ସରକାର ଆଇନ ଆଣିବାକୁ ଚିନ୍ତା କରୁଥିଲେ। ଏବେ ବିଲ୍ ଜରିଆରେ କ୍ରିପ୍ଟୋକରେନ୍ସିର ସଂଜ୍ଞା ସରକାର ଧାର୍ଯ୍ୟ କରିବେ। ଅର୍ଥାତ୍ କ୍ରିପ୍ଟୋ କ୍ଷେତ୍ରରେ କେଉଁ ସବୁ ନିୟମ ଲାଗୁ ହେବ ଓ କାହାକୁ ଅସିଦ୍ଧ ଘୋଷଣା କରାଯିବ, ସେ ବିଷୟରେ ଲୋକଙ୍କୁ ସୂଚନା ଦିଆଯିବ। ତେବେ କ୍ରିପ୍ଟୋକୁ ସରକାର ଡିଜିଟାଲ୍ ସମ୍ପତ୍ତି ମାନ୍ୟତା ପ୍ରଦାନ କରିବେ କି ନାହିଁ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ବିଲ୍ ଗୃହରେ ଉପସ୍ଥାପନ କରାଯିବା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ। ୨୦୧୮ରେ ଆରବିଆଇ କ୍ରିପ୍ଟୋକରେନ୍ସି ଜରିଆରେ କାରବାର ନ କରିବାକୁ ସବୁ ବ୍ୟାଙ୍କଗୁଡ଼ିକୁ କହିଥିଲା। ଏହାର ଦୁଇ ବର୍ଷ ପରେ ସୁପ୍ରିମକୋର୍ଟ କ୍ରିପ୍ଟୋକରେନ୍ସି ଉପରେ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ। କ୍ରିପ୍ଟୋକରେନ୍ସି ହେଉଛି ଯେକୌଣସି ମୁଦ୍ରାର ଏକ ଡିଜିଟାଲ୍ ମୁଦ୍ରା। ଏହା ସଂପୂର୍ଣ୍ଣ ଅନଲାଇନରେ ପରିଚାଳନା ହୋଇଥାଏ।

Breaking News