ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ହୋଇଛି |ପଞ୍ଜାବରେ କଂଗ୍ରେସ ଜିତିବ ବୋଲି ବଡ ଆଶା ରଖିଥିଲା। ମାତ୍ର ଏହି ରାଜ୍ୟକୁ ହରାଇବା ପରେ ପାର୍ଟି ଦେଶରେ ଆଉ ଏକ ରାଜ୍ୟରେ କ୍ଷମତାରୁ ବେଦଖଲ ହୋଇଛି। ଦଳର ଅବସ୍ଥା ଏମିତି ଯେ, ଚରଣଜିତ ସିଂହ ଚନ୍ନି ଏବଂ ପାର୍ଟିର ବଡ ଚେହେରା ନବଜୋତ ସିଂହ ସିଦ୍ଧୁ ଖୋଦ୍ ନିଜ ନିର୍ଵାଚନ ମଣ୍ଡଳୀରେ ପରାଜୟ ଭୋଗିଛନ୍ତି। ଉତ୍ତର ପ୍ରଦେଶରେ ନିଜେ ପ୍ରିୟଙ୍କା ଗାନ୍ଧୀ ପାର୍ଟି ତରଫରୁ ନିର୍ବାଚନ ଦାୟିତ୍ଵ ସମ୍ଭାଳିଥିଲେ। ହେଲେ ତାଙ୍କର ପରିଶ୍ରମ ବୃଥା ହୋଇଛି। ଦଳ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହିଁ। ପାଞ୍ଚ ରାଜ୍ୟରେ ପରାଜୟକୁ ନେଇ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନ ସାମ୍ନାକୁ ଆସିଛି। ରାହୁଲ କହିଛନ୍ତି, ଜନତାଙ୍କୁ ରାୟକୁ ଆମେ ବିନମ୍ରତାର ସହ ସ୍ଵୀକାର କରୁଛୁ। ଏହି ପରାଜୟରୁ ଆମେ ଶିଖିବୁ ଏବଂ ଭାରତର ଜନତାଙ୍କ ହିତ ପାଇଁ କାମ କରିବୁ। ରାହୁଲ ଗାନ୍ଧୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏବଂ ପାର୍ଟି ଏହି ପରାଜୟରୁ ଉଚିତ୍ ଶିକ୍ଷା ନେବ ବୋଲି ରାହୁଲ କହିଛନ୍ତି। ଏହା ପୂର୍ବରୁ କଂଗ୍ରେସ କର୍ମୀ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ପାର୍ଟିର ଶୋଚନୀୟ ପ୍ରଦର୍ଶନ ପରେ ଇଭିଏମ ଦ୍ଵାରା ଗଣତନ୍ତ୍ରର ହତ୍ୟା କରାଯାଉଥିବା ଅଭିଯୋଗ କରି କଂଗ୍ରେସ ମୁଖ୍ୟାଳୟ ବାହାରେ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ପ୍ରଦେଶ କଂଗ୍ରେସର ନେତା ଜଗଦୀଶ ଶର୍ମା ଏବଂ କିଛି ଅନ୍ୟ କାର୍ୟ୍ୟକର୍ତ୍ତା ବିଜେପି ବିରୋଧରେ ନାରାବାଜି କରିଛନ୍ତି।






More Stories
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……