ରିପୋର୍ଟ କାର୍ଡ / ଭୁବନେଶ୍ବର
ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ପପୁକୁ କମିସନରେଟ୍ ପୋଲିସ ରଣପୁରରୁ ଗିରଫ କରିଛି | ପୋଲିସ ଡ୍ରାଇଭର ପପୁକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭର ପପୁର ସଂପୃକ୍ତି ପ୍ରମାଣ ମିଳିବା ପରେ ପୁଲିସ ତାକୁ ଖୋଜୁଥିଲା। ପପୁ ରମେଶ ସ୍ୱାଇଁର ବିଭିନ୍ନ କଳା କାରନାମାରେ ଜଡ଼ିତ ଥିଲା। ଏପରକି ପପୁ ଚାକିରି ନାଆଁରେ ଠକେଇ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ଅଛି। ବେଶ କିଛି ଦିନପରେ ଫେରାର ପପୁକୁ ପୁଲିସ ଧରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ, ରମେଶର କେନ୍ଦ୍ରାପଡ଼ା ପାଟକୁରା ଥାନା ସିଂହାଲ ଗାଁରେ ଥିବା କୁକୁଡ଼ା ଫାର୍ମରେ ମଧ୍ୟ ପୁଲିସ ଚଢ଼ଉ କରିଥିଲା। କୋଲକାତାର ବ୍ୟବସାୟୀ ରିଣ୍ଟୁନ ବିଶ୍ବାସଙ୍କ ଠାରୁ ଆଣିଥିବା କୁକୁଡ଼ା ଅଣ୍ଡାରୁ ଛୁଆ ଫୁଟାଇବା ମେସିନକୁ ତଦନ୍ତକାରୀ ଟିମ୍ ଜବତ କରିଛି। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। କମିସନରେଟ ପୁଲିସ ଏହି ମେସିନକୁ ସ୍ଥାନୀୟ ଥାନାରେ ଜିମା ଦେଇଛି। ଏହାକୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଆଇନଗତ ଉପାୟରେ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ରମେଶର ମା’ ଓ ଭାଇଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ଉଭୟଙ୍କର ବୟାନ ରେକର୍ଡ କରାଯାଇଛି। ଠକେଇ ସିଣ୍ଡିକେଟରେ ଥିବା ଭିଣୋଇ ଗଣେଶ ବେହୁରା, ଡ୍ରାଇଭର, ଦ୍ବିତୀୟ ପତ୍ନୀ କମଳା ତିର୍କୀଙ୍କୁ ଗିରଫ ପାଇଁ ପୁଲିସ ଜାଲ ବିଛାଇଥିଲା। ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ସହ ଖୋଳତାଡ଼ କରିବା ଲାଗି ରମେଶ ଓ ତାଙ୍କ ଭଉଣୀ ରଶ୍ମିତାଙ୍କୁ ପୁଲିସ ପୁଣି ରିମାଣ୍ଡରେ ଆଣିବ।






More Stories
ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର…..
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ……
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..