ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବଜାରରେ ବିଭିନ୍ନ ଖାଇବା ତୈଳ ଦରରେ ଲିଟର ପିଛା ୭ରୁ ୧୦ଟଙ୍କା ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍ ଏବଂ ପାମୋଲିନ୍ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ ଘଟିଛି। ଇଣ୍ଡୋନେସିଆ ପକ୍ଷରୁ ପାମ୍ ତୈଳ ରପ୍ତାନି ନେଇ ଲଗାଯାଇଥିବା କଟକଣା ହଟାଇ ଦିଆଯିବା ପରେ ତେଲ ଦର ହ୍ରାସ ପାଇଛି । ବିଦେଶୀ ବଜାରରେ ସୋୟାବିନ୍ ଏବଂ ପାମୋଲିନ୍ ତୈଳ ଦରରେ ପ୍ରାୟ ୧୦୦ ଡଲାର ପର୍ଯ୍ୟନ୍ତ ହ୍ରାସ ଘଟିଥିବା ବେଳେ ସୂର୍ଯ୍ୟମୁଖୀ ତୈଳ ଦରରେ କୌଣସି ହ୍ରାସ ଘଟିନାହିଁ। ବର୍ତ୍ତମାନ ସମୟରେ ଘରୋଇ ବଜାରରେ ସୋରିଷ ତେଲ ଦରରେ ଲିଟର ପିଛା ୪୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏହି ହିସାବରେ ଜଣେ ଯଦି ମାସିକ ୧୦ ଲିଟର ସୋରିଷ ତେଲ କିଣୁଥିବେ ତାହେଲେ ତାଙ୍କର ୪୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ। ବର୍ତ୍ତମାନ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ଼ବଡ଼ ରାଜ୍ୟରେ ସୋରିଷ ତେଲ ଦର ଲିଟର ପିଛା ୧୭୦ଟଙ୍କାରୁ କମ୍ ରହିଛି। ତେବେ ବିଦେଶୀ ବଜାରରେ ସୋୟାବିନ୍ ତେଲ ଦର ହ୍ରାସ ହୋଇ ନ ଥିବା ସତ୍ତ୍ୱେ ଭାରତୀୟ ବଜାରରେ ସେଥିରେ ହ୍ରାସ ଘଟିଛି ଏବଂ କୁଇଣ୍ଟାଲ୍ ପିଛା ଦର ୬,୭୨୫-୬,୮୨୫ ଟଙ୍କା ରହିଛି। ସେହିପରି ବାଦାମ ସଲ୍ଭେଣ୍ଟ ରିଫାଇନ୍ଡ ଦରରେ ୨୫ଟଙ୍କା ହ୍ରାସ ଘଟି ଟିଣ ପିଛା ୨,୬୨୫-୨,୮୧୫ ଟଙ୍କାରେ ପହଞ୍ଚିଛି। ଗତ କିଛି ଦିନ ହେଲା ବିଦେଶୀ ବଜାରର ଖାଇବା ତେଲ ଦର ଉଚ୍ଚ ସ୍ତରରେ ରହିଥିବାରୁ ଭାରତୀୟ ଆମଦାନୀରେ ହ୍ରାସ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ନିଜ ଘରୋଇ ବଜାରରେ ତୈଳ ଦର କାବୁ କରିବା ଉଦ୍ଦେଶ୍ୟରେ କଟକଣା ଲଗାଇଥିବା ଇଣ୍ଡୋନେସିଆ ସୋମବାରଠାରୁ ପ୍ରତିବନ୍ଧକ ହଟାଇ ଦେଇଛି। ଏଥିସହିତ ଇଣ୍ଡୋନେସିଆ ପାମ୍ ତୈଳ ଦରରେ ପ୍ରାୟ ୧୦୦ ଡଲାର ହ୍ରାସ କରିଛି। ଫଳରେ ଭାରତକୁ ଆମଦାନୀ କରିବାକୁ ସହଜ ହୋଇଛି। ସୂଚନାଯୋଗ୍ୟ, ଭାରତ ଆମଦାନୀ କରୁଥିବା ପାମ୍ ତୈଳ ମଧ୍ୟରୁ ପ୍ରାୟ ୬୦% ଇଣ୍ଡୋନେସିଆଠାରୁ କ୍ରୟ କରିଥାଏ।






More Stories
ପୁଣି ବଢ଼ିଲା ସୁନା ଦର…..
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….