ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ର ସରକାରରେ ମୁଣ୍ଡ ଟେକିଥିବା ବିଦ୍ରୋହ ଥମିବାର ନାଁ ନେଉନାହିଁ | ବଢ଼ି ବଢ଼ି ଚାଲିକି ଦଳୀୟ କନ୍ଦଳ | ଏହା ଭିତରେ ଶୁକ୍ରବାର ରାତିରେ ଦଳର କର୍ପୋରେଟର୍ମାନଙ୍କୁ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଉଦ୍ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ | କହିଛନ୍ତି କି ଯେଉଁମାନେ ଯିବାକୁ ଚାହାଁନ୍ତି, ସେମାନେ ଅବାଧରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢ଼ିବି | ଉଦ୍ବୋଧନ ଦେବା ସମୟରେ ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ଶିବସେନା କର୍ମୀମାନେ ମୋର ସମ୍ପଦ। ସେମାନେ ଯେ ପର୍ଯ୍ୟନ୍ତ ମୋ ସାଙ୍ଗରେ ଥିବେ ଅନ୍ୟମାନଙ୍କ ସମାଲୋଚନାକୁ ମୋର ପରବାୟ ନାହିଁ। ଆପଣା ଲୋକେ ଶିବସେନା ପ୍ରତି ବିଶ୍ବାସଘାତକତା କରିଛନ୍ତି। ଗୌହାଟୀରେ ଡେରା ପକାଇଥିବା ଏକନାଥ ସିନ୍ଦେଙ୍କ ସହିତ ଅଧିକାଂଶ ବିଧାୟକ ଯୋଗ ଦେଇଥିବାରୁ ମୋ ସରକାର ସଙ୍କଟରେ ପଡ଼ିଛି। ଆପଣମାନଙ୍କ ମଧ୍ୟରୁ ଅନେକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆଶାୟୀ ଥିବାବେଳେ ଆମେ ଉକ୍ତ ବିଦ୍ରୋହୀମାନଙ୍କୁ ଟିକେଟ୍ ଦେଇଥିଲୁ। ଆପଣମାନଙ୍କ କଠିନ ଶ୍ରମ ବଳରେ ବିଜୟୀ ହେବା ପରେ ସେମାନେ ଅସନ୍ତୁଷ୍ଟ ହୋଇଛନ୍ତି। ଏଭଳି ସଙ୍କଟ ସମୟରେ ମଧ୍ୟ ଆପଣମାନେ ଦଳକୁ ସମର୍ଥନ କରୁଛନ୍ତି। ସେଥିପାଇଁ ଯେତେ ପରିମାଣରେ କୃତଜ୍ଞତା ଜ୍ଞାପନ କରିବା କଥା, ମୁଁ ସେତେ ପାରୁନାହିଁ। ମେଣ୍ଟ ଦଳମାନଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକର ତଦନ୍ତ ନିମନ୍ତେ ମୁଁ ଏକନାଥ ସିନ୍ଦେଙ୍କୁ କହିଥିଲି। ସେ ମତେ କହିଲେ ଯେ, ବିଜେପି ସହିତ ଯୋଗ ଦେବା ପାଇଁ ବିଧାୟକମାନେ ତାଙ୍କ ଉପରେ ଚାପ ପକାଉଛନ୍ତି। ମୁଁ ତାଙ୍କୁ କହିଲି କି, ସେ ବିଧାୟକମାନଙ୍କୁ ଡାକି ଏ କଥା ଆଲୋଚନା କରିବା। ବିଜେପି ଆମ ସହ ଦୁର୍ବ୍ୟବହାର କରିଛି, ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିନି। ଅନେକ ବିଦ୍ରୋହୀ ବିଧାୟକଙ୍କ ନାଁରେ ବିଜେପି ମାମଲା ରୁଜୁ କରିଛି। ଯଦି ସେମାନେ ବିଜେପି ସହ ମେଣ୍ଟ କରିବେ, ତ୍ରାହି ପାଇଯିବେ। ଯଦି ଆମ ସହ ରହିବେ, ଜେଲ୍ ଯିବେ। ଏଇଟା କ’ଣ ବନ୍ଧୁତ୍ବର ସଙ୍କେତ ବୋଲି ଉଦ୍ଧବ ପଚାରିଛନ୍ତି। ସେ ପୁଣି କହିଛନ୍ତି, ଯଦି ଜଣେ ଶିବସେନା କର୍ମୀ ମୁଖ୍ୟମନ୍ତ୍ରୀ ହେବ, ତେବେ ବିଜେପି ସହ ମେଣ୍ଟ କର। କିନ୍ତୁ, ଜଣେ (ସିନ୍ଦେ) ଯଦି ଉପମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମତେ କହିବା ଦରକାର ଥିଲା। ମୁଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇ ଦେଇଥାଆନ୍ତି। ବିଜେପି ସହିତ ମେଣ୍ଟ କରିବା ଛଡ଼ା ବିଦ୍ରୋହୀ ଗୋଷ୍ଠୀଙ୍କର ଅନ୍ୟ ଉପାୟ ନାହିଁ। ଯଦି ସେମାନେ ସରକାର ଗଢ଼ିବାରେ ସଫଳ ହୁଅନ୍ତି ସେ ସରକାର ବେଶୀ ଦିନ ତିଷ୍ଠିବ ନାହିଁ। କାରଣ ବିଦ୍ରୋହୀ ଗୋଷ୍ଠୀରେ ମଧ୍ୟ ଅନେକ ବିଧାୟକ ମଧ୍ୟ ବାସ୍ତବରେ ଖୁସି ନାହାନ୍ତି ବୋଲି ଠାକ୍ରେ କହିଛନ୍ତି। ପରବର୍ତ୍ତୀ ନିର୍ବାଚନରେ କିନ୍ତୁ, ବିଦ୍ରୋହୀ ଗୋଷ୍ଠୀ ଜିଣି ପାରିବେ ନାହିଁ ବୋଲି ଠାକ୍ରେ ଦାବି କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ନିର୍ବାଚିତ ହୋଇଛନ୍ତି, ଆପଣ ସେମାନଙ୍କୁ ନେଇଯାଇଛନ୍ତି। ସାହସ ଅଛି ତ ଆପଣଙ୍କୁ ଯେଉଁମାନେ ନିର୍ବାଚିତ କରିଛନ୍ତି, ସେମାନଙ୍କୁ ନେବାକୁ ଚେଷ୍ଟା କରନ୍ତୁ।






More Stories
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……