Report Card Odisha

| Daily Odia News

କେନ୍ଦ୍ର ସରକାର ଲାଗୁ କରିଥିବା ଜିଏସ୍‌ଟି ସପକ୍ଷରେ ଯୁକ୍ତି ବାଢ଼ିଲେ ନିର୍ମଳା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଧାରଣ ଲୋକ ନିତ୍ୟ ବ୍ୟବହାର କରୁଥିବା ଖାଦ୍ୟପଦାର୍ଥ ଯଥା ଚୁଡ଼ା, ମୁଢ଼ି, ଅଟା, ଚାଉଳ, ସୁଜି, ଡାଲି, ମକା, ବେସନ, ଦହି, ଲସି ଆଦି ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ଲାଗୁ କରିଛନ୍ତି। ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ତେବେ ଏଭଳି ସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଉକ୍ତ ଟିକସ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କେଉଁ ପରିପ୍ରେକ୍ଷୀରେ ଏହି ଟିକସ ଲାଗୁ ହୋଇଛି ସେ ନେଇ ସଫେଇ ଦେଇଛନ୍ତି। ଏହି ଟିକସ କିଛି ନୂଆ ନୁହେଁ। ପୂର୍ବରୁ ରାଜ୍ୟ ସରକାରମାନେ ଏହା ଉପରେ ଟିକସ ଆଦାୟ କରୁଥିଲେ। ପଞ୍ଜାବ ଭଳି ରାଜ୍ୟ କେତେ ଟିକସ ଏହା ଉପରୁ ଆଦାୟ କରୁଥିଲେ ତାହାର ହିସାବ ମଧ୍ୟ ଅର୍ଥମନ୍ତ୍ରୀ ଦେଇଛନ୍ତି। ନିର୍ମଳା ଏ ନେଇ ୧୪ଟି ଟ୍ବିଟ୍ କରି ଉକ୍ତ ନିଷ୍ପତ୍ତି ଗଣ୍ଡୀଗଡ଼ଠାରେ ଅନୁଷ୍ଠିତ ୪୭ତମ ଜିଏସ୍‌ଟି ପରିଷଦ ବୈଠକରେ ନିଆଯାଇଥିଲା ବୋଲି କହିଛନ୍ତି। ଏଥିସହିତ ପୂର୍ବରୁ ପ୍ୟାକ୍ ହୋଇଥିବା ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବାର ସବୁଠୁ ବଡ଼ କାରଣ ହେଲା ଏ ବାବଦରେ ହେଉଥିବା ଟିକସ ଚୋରିକୁ ରୋକିବା। ଅର୍ଥମନ୍ତ୍ରୀ ତାଙ୍କ ଟ୍ବିଟରେ ଦଶାଇଛନ୍ତି ପ୍ରଥମ ଥର ପାଇଁ ଏଭଳି ଟିକସ ଲଗାଯାଉ ନାହିଁ। ପୂର୍ବରୁ ପର୍ଚେଜ ଟ୍ୟାକ୍ସ ବାବଦରେ ପଞ୍ଜାବ କେବଳ ୨୦୦୦ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରୁଥିଲା। ଉତ୍ତର ପ୍ରଦେଶ ୭୦୦ କୋଟି ଟଙ୍କା ଆଦାୟ କରୁଥିଲା। ବିଭିନ୍ନ ପର୍ଯ୍ୟାୟରେ ଏହି ଟିକସ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି। ଅଧିକାରୀସ୍ତରୀୟ କମିଟି, ମନ୍ତ୍ରିଗୋଷ୍ଠୀ ଏବଂ ଜିଏସଟି ପରିଷଦରେ ଏଥିପାଇଁ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ବ୍ରାଣ୍ଡେଡ ସାମଗ୍ରୀ ଉପରେ ଜିଏସଟି ପ୍ରଦାନ କରୁଥିବା ଖାଦ୍ୟ ଯୋଗାଣକାରୀ ଓ ଶିଳ୍ପ ସଂଘଗୁଡ଼ିକ ବ୍ୟବସ୍ଥାରେ ରହିଥିବା ତ୍ରୁଟି ନେଇ ସରକାରଙ୍କୁ ଚିଠି ଲେଖିଥି‌ଲେ। ଟିକସ ଫାଙ୍କିକୁ ରୋକିବା ଲାଗି ସବୁ ପ୍ରକାର ପ୍ୟାକେଜ ସାମଗ୍ରୀ ଉପରେ ଟିକସ ଲଗାଇବା ପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ। ରାଜ୍ୟଗୁଡ଼ିକ ମଧ୍ୟ ବ୍ୟାପକମାତ୍ରାରେ ଟିକସ ଫାଙ୍କି ହେଉଥିବା ଦେଖିବାକୁ ପାଇଥିଲେ। ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ବିହାର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା ଓ ଗୁଜରାଟର ଅଧିକାରୀମାନଙ୍କୁ ନେଇ ଗଠିତ ଫିଟମେଣ୍ଟ କମିଟି ଉକ୍ତ ସମସ୍ୟାର ଯାଞ୍ଚ କରି ଟିକସ ଆଦାୟ ପଦ୍ଧତିରେ ପରିବର୍ତ୍ତନ ପାଇଁ ସୁପାରିସ କରିଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଟିକସ ଲାଗୁ ପଦ୍ଧତିରେ ପରିବର୍ତ୍ତନ ପାଇଁ ଯେଉଁ ମନ୍ତ୍ରିଗୋଷ୍ଠୀ ସୁପାରିସ କରିଥିଲା ସେଥିରେ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତର ପ୍ରଦେଶ, ଗୋଆ ଓ ବିହାରର ଅର୍ଥମନ୍ତ୍ରୀମାନେ ସଦସ୍ୟ ଥିଲେ। ଟିକସ ଚୋରିକୁ ବିଚାରକୁ ନେବା ପରେ ମନ୍ତ୍ରିଗୋଷ୍ଠୀ ଯତ୍ନର ସହିତ ଉକ୍ତ ପ୍ରସ୍ତାବର ସୁପାରିସ କରିଥିଲା। ଜୁନ ୨୮ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ସବୁ ରାଜ୍ୟ ଉକ୍ତ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ରାଜି ହୋଇଥିଲେ। ଏପରିକି ଅଣ ବିଜେପି ଶାସିତ ରାଜ୍ୟ ଯଥା ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳ ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ପୂର୍ବରୁ ପ୍ୟାକ ଓ ଲେବେଲ (ସାମଗ୍ରୀ ସଂପର୍କରେ ‌ପ୍ୟାକେଟରେ ଲେଖା) ହୋଇଥିବା ସାମଗ୍ରୀ ଉପରେ ଚଳିତ ମାସ ୧୮ ତାରିଖରୁ ଜିଏସଟି ଲାଗୁ ‌ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା କେବଳ ଉକ୍ତ ପଦ୍ଧତିରେ ଏକ ପରିବର୍ତ୍ତନ। ଦୁଇ ତିନିଟି ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସାମଗ୍ରୀକୁ ଜିଏସଟି ପରିସରକୁ ଅଣାଯାଇନାହିଁ। ଚାଉଳ, ଗହମ, ଅଟା ଆଦି ଖାଦ୍ୟଶସ୍ୟ ପୂର୍ବରୁ ବ୍ରାଣ୍ଡେଡ ଏବଂ ପ୍ୟାକ୍ ହୋଇଥିଲେ ସେଥିରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା। ୧୮ ତାରିଖରୁ ସେହିସବୁ ସାମଗ୍ରୀ ପୂର୍ବରୁ ପ୍ୟାକ୍ ଓ ଲେବେଲ ହୋଇଥିଲେ ଜିଏସ୍‌ଟି ଲାଗୁଛି। ତେବେ ଏସବୁ ସାମଗ୍ରୀ ଖୋଲାରେ ବିକ୍ରି ହେଲେ ଏବଂ ପୂର୍ବରୁ ଲେବେଲ୍ ‌ନହୋଇଥିଲେ କୌଣସି ଜିଏସଟି ଲାଗିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Breaking News