Report Card Odisha

| Daily Odia News

ଟିଏମ୍‌ସି ଛାଡିଲେ ପବନ ବର୍ମା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୃଣମୂଳ କଂଗ୍ରେସର ଜାତୀୟ ଉପାଧ୍ୟକ୍ଷ ପବନ କେ ବର୍ମା ଆଜି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମମତା ବାନାର୍ଜୀଙ୍କୁ ପଠାଇନ୍ତି। ତେବେ ସେ ଇସ୍ତଫାର କାରଣ ନେଇ କୌଣସି ସୂଚନା ଦେଇନାହାନ୍ତି। ଏକ ଟ୍ବିଟ୍‌ ମାଧ୍ୟମରେ ​‌ସେ ଦଳରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି। ବର୍ମା ମମତା ବାନାର୍ଜୀଙ୍କୁ ପଠାଇଥିବା ପତ୍ରରେ ଲେଖିଛନ୍ତି, ‘‘ମୋ ଇସ୍ତଫା ସ୍ବୀକାର କରନ୍ତୁ। ଆପଣଙ୍କ ସ୍ନେହ ଏବଂ ସୌଜନ୍ୟ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଆପଣଙ୍କ ସହ ଯୋଗାଯୋଗରେ ରହିବାକୁ ମୁଁ ଆଗ୍ରହୀ। ସମସ୍ତଙ୍କୁ ଶୁଭେଚ୍ଛା।’’ ସୂଚନାଯୋଗ୍ୟ, ପବନ ବର୍ମା ଗତ ବର୍ଷ ଟିଏମ୍‌ସିରେ ଯୋଗ ଦେଇଥିଲେ। ସେ ଭାରତୀୟ ବୈଦେଶିକ ସେବାର ଜଣେ ଅଧିକାରୀ। ସେ ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରାମର୍ଶଦାତା ଥିଲେ। ସେ ୨୦୧୪ ମସିହା ଜୁନ୍‌ ମାସରୁ ୨୦୧୬ ମସିହା ଜୁଲାଇ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ, ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ଓ ରାଷ୍ଟ୍ରୀୟ ମୁଖପାତ୍ର ଥିଲେ। ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ)କୁ ସମର୍ଥନ କରିବାକୁ ଜେଡି(ୟୁ)ର ନିଷ୍ପତ୍ତିକୁ ବିରୋଧ କରି ସେ ଦଳ ଛାଡ଼ିଥିଲେ। ବର୍ମା ଅନେକ ଦେଶରେ ଭାରତର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଭାବରେ କାର୍ଯ୍ୟ କରିବା ବ୍ୟତୀତ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

Breaking News