ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଣସଂରକ୍ଷିତ ବର୍ଗର ‘ଆର୍ଥିକ ଅନଗ୍ରସର ବର୍ଗ’ (EWS)ଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିବା ସମ୍ବିଧାନର ୧୦୩ତମ ସଂଶୋଧନକୁ ଆଜି ସୁପ୍ରିମ୍ କୋର୍ଟ କାଏମ ରଖିଛନ୍ତି। ଏହି ବ୍ୟବସ୍ଥା ଅନୁସାରେ, କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନରେ ନାମଲେଖା ଏବଂ କେନ୍ଦ୍ର ସରକାରଙ୍କ ଚାକିରି କ୍ଷେତ୍ରରେ ହିତାଧିକାରୀମାନଙ୍କୁ ଏହି ସଂରକ୍ଷଣ ସୁବିଧା ମିଳିଥାଏ । ଆର୍ଥିକ ଅନଗ୍ରସରଙ୍କ ଲାଗି (ଇଡବ୍ଲୁଏସ୍) କୋଟା ବ୍ୟବସ୍ଥା ସାମ୍ବିଧାନିକ ଭେଦଭାବ ସୃଷ୍ଟି କରୁ ନାହିଁ କି ଏହା ସମ୍ବିଧାନର ମୂଳଦୁଆକୁ ପ୍ରଭାବିତ କରୁ ନାହିଁ ବୋଲି ସର୍ବୋଚ୍ଚ ନ୍ୟାଳୟ କହିଛନ୍ତି। ଦେଶର ଦଳିତ ତଥା ସାମାଜିକ ନ୍ୟାୟରୁ ବଞ୍ଚିତ ବର୍ଗ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି /ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଏହି କୋଟା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ସାଧାରଣତଃ ସମ୍ପୃକ୍ତ ଅବହେଳିତ ଗୋଷ୍ଠୀଙ୍କ ଲାଗି ସରଂକ୍ଷଣ ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ସେମାନଙ୍କୁ ବଞ୍ଚିତ କରାଯାଇଥିବାରୁ ପ୍ରଶ୍ନ ଉଠିଥିଲା। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦି ସକରାର ସବର୍ଣ୍ଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୦ ପ୍ରତିଣତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ। ପୂର୍ବରୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିରେ ରୋକ ଲଗାଇବା ନେଇ ଆବେଦନକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ । ତେବେ କଂଗ୍ରେସ ସମର୍ଥକ ଏବଂ ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ପୁନର୍ବିଚାର ଲାଗି କରାଯାଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ଲଗାତାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ଯାହାର ଚୂଡ଼ାନ୍ତ ରାୟ ଆଜି ଆସିଛି। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ସଂରକ୍ଷଣ ବ୍ୟବସ୍ଥାର ବୈଧତା ନେଇ ରାୟ ଦେଇଛନ୍ତି। ସମ୍ବିଧାନର ୧୦୩ ତମ ସଂଶୋଧନର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ୱରୀ,ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରବେଦୀ ଓ ଜଷ୍ଟିସ ଜେବି ପାରଦିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ଆବେଦନରେ କୁହାଯାଇଥିଲା ଯେ ଏସଟି,ଏସସି ଏବଂ ଓବିସି ରେ ମଧ୍ୟ ଗରିବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି । ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଛି ।ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଫେସର ରବି ବର୍ମା କୁମାର ଯୁକ୍ତି କରିଥିଲେ ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସଂରକ୍ଷଣ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କହିନାହାଁନ୍ତି କିମ୍ବା ବୁଝାଇ ନାହାଁନ୍ତି । ତେଣୁ ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ବ୍ୟତୀତ ଅନ୍ୟ ଲାଭ କାହିଁକି ଦିଆଯାଉ ନାହିଁ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..