Report Card Odisha

| Daily Odia News

ଇନ୍ଦିରା ଗାନ୍ଧୀଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍‌କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଜନ୍ମବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସେହିପରି, ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ମଧ୍ୟ ଜେଜୀମା’ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି।

୧୯୧୭ ନଭେମ୍ବର ୧୯ରେ ଆହ୍ଲାବାଦରେ ଜନ୍ମିତା ଇନ୍ଦିରା ୧୯୬୬ରେ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍‌ଲାଲ୍‌ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀ ଥିଲେ ତାଙ୍କ ପରେ ଦୀର୍ଘ ଦିନ ଧରି କ୍ଷମତାସୀନ ଥିବା ଦ୍ବିତୀୟ ପ୍ରଧାନମନ୍ତ୍ରୀ। ପ୍ରଥମ ପାଳିରେ ସେ ୧୯୬୬ ଜାନୁଆରିରୁ ୧୯୭୭ ମାର୍ଚ ଓ ଦ୍ବିତୀୟ ପାଳିରେ ୧୯୮୦ ଜାନୁଆରିରୁ ୧୯୮୪ ଅକ୍ଟୋବର ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୧୯୪୭ରୁ ୧୯୬୪ ପର୍ଯ୍ୟନ୍ତ ଇନ୍ଦିରାଙ୍କୁ ନେହେରୁଙ୍କର ମୁଖ୍ୟ ସହକାରୀ ଭାବେ ବିବେଚନା କରାଯାଉଥିଲା। ସେ ନେହେରୁଙ୍କ ସହିତ ଅନେକ ଥର ବିଦେଶ ଗସ୍ତରେ ଯାଇଥିଲେ। ୧୯୫୯ରେ ସେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିଲେ। ୧୯୬୪ରେ ନେହେରୁଙ୍କ ମୃତ୍ୟୁ ପରେ ସେ ରାଜ୍ୟସଭାରେ ନିଯୁକ୍ତି ପାଇ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ କ୍ୟାବିନେଟ୍‌ରେ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ‌ହୋଇଥିଲେ। ଆଜି ମଧ୍ୟ ବ୍ରିଟିସ୍‌‌ ସେନା ବିରୋଧରେ ସଂଗ୍ରାମ କରିଥିବା ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି ଯେ, ତାଙ୍କର ସାହସ ଓ ଦେଶ ପ୍ରତି ଅବଦାନ ଅବିସ୍ମରଣୀୟ।

Breaking News