ରିପୋର୍ଟ କାର୍ଡ / ଭୁବନେଶ୍ୱର
ହକି କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। କହିଛନ୍ତି ଯଦି ଇଣ୍ଡିଆ ଟିମ ହକି ବିଶ୍ୱକପର ବିଜେତା ହେବେ ତେବେ ପ୍ରତ୍ୟେକ ଖେଳାଳୀଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ସହିତ ସବୁ ବ୍ୟବସ୍ଥାକୁ ମଧ୍ୟ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି । କିପରି ଖେଳାଳୀ ମାନେ ଆସିବେ, ତାଙ୍କ ରହଣୀ ଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କିପରି ସଠିକ ଭାବରେ ପରିଚାଲିତ ହେବ ତାହାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ଭିତରେ ଆଜି ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍କୁ ଉଦ୍ଘାଟନ କରିଛନ୍ତି । ଏହାସହ ରାଉରକେଲାରେ ‘ମୋ ବସ୍’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିଥିବା ସୂଚନା ମିଳିଛି | ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ୨୦ ହଜାର ଦର୍ଶକ ବସିବା ପାଇଁ କ୍ଷମତା ରଖିଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାମ ରେକର୍ଡ ୧୫ ମାସ ମଧ୍ୟରେ ଶେଷ ହୋଇଛି। ଷ୍ଟାଡିୟମରେ ଭିନ୍ନକ୍ଷମଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏଥି ସହ ନଅ ମାସ ମଧ୍ୟରେ ୨୨୫ କୋଠରୀ ବିଶିଷ୍ଟ ଉନ୍ନତମାନର ବିଶ୍ୱକପ ହକି ଗ୍ରାମ ମଧ୍ୟ ନିର୍ମାଣ କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଢ଼ାଇ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ଯୋଗ ଦେଇଥିଲେ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..