Report Card Odisha

| Daily Odia News

ଚାବୁକ୍‌ ମାଡ଼ ଦେଇ ୪ଜଣଙ୍କ ହାତ କାଟିଲା ତାଲିବାନ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୋରି ଓ ଅପ୍ରାକୃତିକ ଯୌନାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ଜଣ ବ୍ୟକ୍ତିଙ୍କୁ ତାଲିବାନ୍‌ ମଙ୍ଗଳବାର ଦିନ କନ୍ଦହାରସ୍ଥିତ ଅହମଦ୍‌ ଶାହି ଷ୍ଟାଡିୟମ୍‌ରେ ଚାବୁକ ପ୍ରହାର କରିବା ସହିତ ୪ଜଣଙ୍କର ହାତ କାଟି ଦେଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଟୁଇଟ୍‌ କରି ‘ଟୋଲୋ ନିଉଜ୍‌’ ଲେଖିଛି: ଦେଇଥିବା ବିବୃତିରେ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି ଯେ, ଚୋରି ଓ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗରେ ମଙ୍ଗଳବାର ଦିନ କନ୍ଦହାରସ୍ଥିତ ଅହମଦ୍‌ ଶାହି ଷ୍ଟାଡିୟମ୍‌ରେ ୯ଜଣଙ୍କୁ ଶାସ୍ତି ଦିଆଯାଇଛି। ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ହାଜି ଜାଇଦ୍‌ କହିଛନ୍ତି, ଚାବୁକ ପ୍ରହାର ସମୟରେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ କନ୍ଦହାର ବାସିନ୍ଦାମାନେ ଉପସ୍ଥିତ ଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ୩୫ରୁ ୩୯ ଥର ଚାବୁକ ପ୍ରହାର ଦିଆଯାଇଛି। ସେହିପରି, ଇଂଲଣ୍ଡ୍‌ରେ ଥିବା ଆଫଗାନ୍‌ ପୁନଃଥଇଥାନ ଓ ଶରଣାର୍ଥୀ ମନ୍ତ୍ରୀଙ୍କ ପୂର୍ବତନ ନୀତି ଉପଦେଷ୍ଟା ଶବ୍‌ନମ୍‌ ନସିମି କହିଛନ୍ତି ଯେ, କନ୍ଦହାରସ୍ଥିତ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ରେ ତାଲିବାନ୍‌ ୪ଜଣ ବ୍ୟକ୍ତଙ୍କ ହାତ କାଟି ପକାଇଥିବା କୁହାଯାଉଛି। ଟୁଇଟ୍‌ କରି ସେ କହିଛନ୍ତି: ଚୋରି ଅଭିଯୋଗରେ ଆଜି କନ୍ଦହାର୍‌ସ୍ଥିତ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ରେ ଦର୍ଶକମାନଙ୍କ ସମ୍ମୁଖରେ ତାଲିବାନ୍‌ ୪ଜଣ ବ୍ୟକ୍ତିଙ୍କର ହାତ କାଟି ପକାଇଥିବା କେତେକ କହୁଛନ୍ତି। ନିରପେକ୍ଷ ବିଚାର ଓ ଉପଯୁକ୍ତ ବିଚାର ପ୍ରକ୍ରିୟା ବିନା ଆଫଗାନିସ୍ତାନରେ ଲୋକମାନଙ୍କୁ ଚାବୁକ ମାଡ଼, ହାତଗୋଡ଼ ଛେଦନ ଓ ମୁଣ୍ଡକାଟ ଶାସ୍ତି ଦିଆଯାଉଛି। ଆନ୍ତର୍ଜାତିକ ସମୁଦାୟଙ୍କ ନିନ୍ଦା ସତ୍ତ୍ବେ ସର୍ବୋଚ୍ଚ ମୌଳବାଦୀ ନେତାଙ୍କ ଆଦେଶନାମା ଅନୁସାରେ ତାଲିବାନ୍‌ ପୁଣି ଅପରାଧୀମାନଙ୍କୁ ଚାବୁକ ମାଡ଼ ଦେବା ସହିତ ସର୍ବସମ୍ମୁଖରେ ହତ୍ୟା କରୁଛି।

 

Breaking News