Report Card Odisha

| Daily Odia News

ପୋଲ‌ରୁ ଖସିଲା ବସ୍‌, ୧୫ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶର ଖାର୍ଗୋନସ୍ଥିତ ଏକ ପୋଲ‌ରେ ବସ୍‌ ତଳକୁ ଖସି ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି। ବସ୍‌ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ସେଠାକୁ ଧାଇଁ ଯାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଆହତମାନଙ୍କୁ ବସ୍‌ ଭିତରୁ ବାହାରକୁ କାଢ଼ି ହସ୍ପିଟ‌ାଲ୍‌କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। କିଛି ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ଖବର ପାଇ ଜିଲ୍ଲାପାଳ ଶିବରାଜ ସିଂହ ବର୍ମା ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାର ମୃତକଙ୍କ ପରିବାର ସକାଶେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ସୂଚନାରୁ ପ୍ରକାଶ ଯେ ବସ୍‌ଟି ଇନ୍ଦୋର ଯିବା ବାଟରେ ଏପରି ଘଟିଛି। ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଓ କିପରି ଘଟିଲା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

Breaking News