Report Card Odisha

| Daily Odia News

୧,୫୦୦ରୁ ଊର୍ଦ୍ଧ୍ବ ଜଳବାୟୁ କର୍ମୀ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେଦରଲାଣ୍ଡର ହେଗଠାରେ ହଜାର ହଜାର ଜଳବାୟୁ କର୍ମୀ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଚ୍ ପୋଲିସ ଦ୍ବାରା ଗିରଫ କରାଯାଇଛି। ଇଂଲଣ୍ଡର ପରିବେଶ ସଂଗଠନ ଏକ୍ଟିଙ୍କସନ ରିବେଲିୟନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଦାବି କରି ଏହି ଆନ୍ଦୋଳନ କରାଯାଇଥିଲା। କିନ୍ତୁ ଏହି ଜଳବାୟୁ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ନ କରି ହିଂସାତ୍ମକ ପଥ ଆପଣାଇଥିବାରୁ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଗିରଫ କରାଯାଇଥିବା ହେଗ ପୋଲିସ ପକ୍ଷରୁ କୁହାଯାଇଛି। ଭଙ୍ଗାରୁଜା କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ବିଚାର କରାଯିବ ବୋଲି ପୋଲିସ କହିଛି। ପ୍ରତିବାଦକାରୀମାନେ ଡଚ୍ ପାର୍ଲାମେଣ୍ଟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ପ୍ରାୟ ୭୦୦୦ ଆନ୍ଦୋଳନକାରୀ ଏଥିରେ ଅଂଶ ଗ୍ରହଣ କରିଥିବା ଏକ୍ସଟିଙ୍କସନ ରିବେଲିୟନ ପକ୍ଷରୁ କୁହାଯାଇଛି। ପୋଲିସ କହିଛି ଯେ, ୧୫୭୯ ଲୋକଙ୍କ ଭିତରୁ ୪୦ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଭଙ୍ଗାରୁଜା କରିବା ସହ ହିଂସାକାଣ୍ଡ ଭିଆଇବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାବଳକୁ ଡକାଯାଇଥିଲା। ପାଣିମାଡ଼ ଆଶଙ୍କାରେ କେତେକ ପ୍ରତିବାଦକାରୀ ସୁରକ୍ଷା ସୁଟ୍ ପିନ୍ଧି ଆସିଥିବା ପୋଲିସ ପ୍ରକାଶ କରିଛି। ପ୍ରତିବାଦକାରୀମାନେ ଜୀବାଶ୍ମ ଇନ୍ଧନ ସବ୍‌ସିଡ଼ିକୁ ବିରୋଧ କରି ଏହି ଆନ୍ଦୋଳନ କରିଥିଲେ। ସେମାନଙ୍କ କହିବା ଅନୁସାରେ, ଜଳବାୟୁ ପରିବର୍ତ୍ତନ ନେଦରଲାଣ୍ଡ ସମେତ ସାରା ବିଶ୍ବ ପାଇଁ ଆତଙ୍କର କାରଣ ପାଲଟିଛି। ଏହାର କାରଣ ସେମାନେ ଜାଣନ୍ତି। ତା’ ସତ୍ତ୍ବେ ସରକାର ଜୀବାଶ୍ମ ଇନ୍ଧନ (ପେଟ୍ରୋଲ, ଡିଜେଲ ଓ କୋଇଲା) ପାଇଁ ସବ୍‌ସିଡ଼ି ଦେଉଥିବାରୁ ଏହାକୁ ବନ୍ଦ କରିବା ପାଇଁ ଦାବି କରି ପରିବେଶ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ବୋଲି ଜ‌ନୈକ ପ୍ରତିବାଦକାରୀ ଆନ୍ନି କେରେଭର କହିଛନ୍ତି। ଶନିବାରର ଏହି ବିକ୍ଷୋଭରେ ଅଭିନେତା କ୍ୟାରିସ ବନ ହୁଟେନଙ୍କ ସମେତ ଅନେକ ଡଚ୍ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ତାଙ୍କୁ ମଧ୍ୟ ପୋଲିସ ଗରିଫ କରିଥିବା ଜଣାପଡ଼ିଛି।

 

Breaking News