ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ସଂଗଠନର ନବକଳେବର କରିବା ଆରମ୍ଭ କରିଦେଇଛନ୍ତି । ଏପରି ସ୍ଥିତିରେ ଦଳ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ଆଜି କଂଗ୍ରେସ ପକ୍ଷରୁ ୧୦ଟି ଜିଲ୍ଲା ନୂଆପଡ଼ା, କେଉଁଝର, ପୁରୀ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ଦେଓଗଡ଼ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି | ଶୃଙ୍ଖଳାଗତ କାର୍ଯ୍ୟ କମିଟିର ଅଧ୍ୟକ୍ଷ, ଆବାହକ ଓ ସଦସ୍ୟ ଭାବେ ୬ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ମାନିଫେଷ୍ଟୋ କମିଟି, ପ୍ରଚାର ଓ ପ୍ରକାଶନ କମିଟି ଏବଂ ଏଆଇସିସି ପ୍ରୋଗ୍ରାମ କାର୍ଯ୍ୟକାରିତା କମିଟିର ଅଧ୍ୟକ୍ଷ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପଞ୍ଚାନନ କାନୁନଗୋ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାୟିତ୍ୱ ମିଳିଛି | ସେହିପରି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାର ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ନାମ ହଟାଯାଇ ଦୁର୍ଗାଶଙ୍କର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି | ନୂଆପଡାରେ ସୁରେଶ କୁମାର ଆଜାର୍, କେନ୍ଦୁଝରରେ ମୋହନ ପରିଡା, ପୁରୀରେ ଜୟରାମ ପଟ୍ଟନାୟକ, ଭଦ୍ରକରେ ଆଶୋକ ଦାସ, ଅନୁଗୋଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଅସିଫ୍ ଅଲ୍ଲୀ ଖାନ୍, ସୁନ୍ଦରଗଡରେ ଜନାର୍ଦ୍ଦନ ଦେହୁରୀ, ରାୟଗଡାରେ ବିଜୟ କୁମାର ଗମାଙ୍ଗୋ, ଦେବଗଡରେ ସେମ୍ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିଛି ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..