Report Card Odisha

| Daily Odia News

ତୀସ୍ତା ସୀତଲ୍‌ୱାଡ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଢ଼ାଇଲେ ସୁପ୍ରିମ୍‌ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରମାଣ ଜାଲିଆତି କରିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସ‌ାମାଜିକକର୍ମୀ ତୀସ୍ତା ସୀତଲ୍‌ୱାଡ୍‌ଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଆଜି ସୁପ୍ରିମ୍‌ କୋର୍ଟ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜୁଲାଇ ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।‘ତୁରନ୍ତ ଆତ୍ମସମର୍ପଣ’ କରିବା ଲାଗି ଗୁଜରାଟ ହାଇକୋର୍ଟ ତୀସ୍ତା ସୀତଲ୍‌ୱାଡ୍‌ଙ୍କୁ ଆଦେଶ ଦେଇଥିଲେ। କିନ୍ତୁ, ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟ ଗୁଜରାଟ ହାଇକୋର୍ଟଙ୍କ ଉକ୍ତ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ବିଚାରପତି ବି.ଆର୍‌. ଗୱାଇଙ୍କ ନେତୃତ୍ବରେ ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଆଜି ଅପରାହ୍ଣ ପ୍ରାୟ ୧୨.୩୦ରେ ଗୁଜରାଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗାରେ ପଦସ୍ଥ ସରକାରୀ କର୍ମଚାରୀମାନଙ୍କୁ ସମ୍ପୃକ୍ତ କରାଇବା ଲାଗି କାଗଜପତ୍ର ଜାଲିଆତି କରିଥିବା ଅଭିଯୋଗରେ ଗୁଜରାଟ ପୁଲିସ ତୀସ୍ତା ସୀତଲ୍‌ୱାଡ୍‌ଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରିଥିଲା। ପ୍ରମାଣ ପରିବର୍ତ୍ତନ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତୀସ୍ତା ସୀତଲ୍‌ୱାଡ୍‌ ଓ ପୂର୍ବତନ ପଦସ୍ଥ ପୁଲିସ ଅଧିକାରୀ ଆର୍‌. ବି. ଶ୍ରୀକୁମାରଙ୍କୁ ଗିରଫ କରାଯାଇଥିଲା। ୨୦୦୨ ଦଙ୍ଗା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇ ତୀସ୍ତା ୨୦୨୨ ସେପ୍ଟେମ୍ବରରେ ଗୁଜରାଟର ସାବରମତୀ ଜେଲ୍‌ରୁ ମକ୍ତ ହୋଇଥିଲେ।

Breaking News