Report Card Odisha

| Daily Odia News

ମୋ ଜଙ୍ଗଲ ଜମି ଯୋଜନା ଶୁଭାରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଶ୍ବ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ। ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ। ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ ଜନଜାତି ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।  ଜଙ୍ଗଲ ସଂପଦର ନିରନ୍ତର ବିକାଶ ଦିଗରେ ଜନଜାତି ମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ। ଜଳବାୟୁ ପରିବର୍ତ୍ତନ ଓ ଜନଜାତି ମାନଙ୍କ ଅର୍ଥନୀତି ଓ ଜୀବିକାରେ ସ୍ଥାୟିତ୍ବ ଆଣିବାରେ ମଧ୍ୟ ଏହା ସହାୟକ ହେବ । ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡିଶା ଏକ ଆଗୁଆ ରାଜ୍ୟ  | ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି। ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠି ଅଧିକାର ଦିଆଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁ ଗୁଡିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  | ପ୍ରଥମରୁ ତାଙ୍କ ସରକାର ଜନଜାତି ମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ପ୍ରକାଶ କରି ସେ କହିଥିଲେ ଯେ ୨୦୦୦ ମସିହାରେ ତାଙ୍କ ସରକାର ଯେତେବେଳେ ପ୍ରଥମେ ଓଡିଶାରେ ସେବାର ଦାୟିତ୍ବ ଗ୍ରହଣ କଲା, ସେତେବେଳେ ତାଙ୍କ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତ ମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ। ଆଜି ଏ ଦିଗରେ ଅନେକ କାମ ହୋଇଛି। ଜନଜାତି ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି।

Breaking News