Report Card Odisha

| Daily Odia News

ପୁଅ ଆଗରେ ବାପାଙ୍କୁ ଟାଣିନେଲା କୁମ୍ଭୀର…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡା

ରାଜନଗର ଅଞ୍ଚଳରେ କୁମ୍ଭୀର ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି । ବାପାଙ୍କୁ ରକ୍ଷା କରିବା ପାଇଁ ପୁଅ ଡଙ୍ଗା ଆହୁଲାରେ କୁମ୍ଭୀରକୁ ଆକ୍ରମଣ କରିଥିଲେ ମଧ୍ୟ କୁମ୍ଭୀର ମୁହଁରୁ ବାପାଙ୍କୁ ରକ୍ଷା କରି ପାରି ନଥିଲା । ସଂପୃକ୍ତ ବ୍ୟକ୍ତିଙ୍କୁ ବି ନଈରୁ ଏଯାଏ ଉଦ୍ଧାର କରାଯାଇ ପାରିନାହିଁ। ଗଲା ଅଢେଇ ମାସ ଭିତରେ କୁମ୍ଭୀର ମୁହଁରେ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି | ସୂଚନା ଅନୁଯାୟୀ ରାଜନଗର ବ୍ଲକ୍‌ ରାଜପୁର ପଞ୍ଚାୟତ ରାଜପୁର ଗାଁର ଅଭୟ ରାଉତ ମଇଁଷି ରଖି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କ ଘର ଠାରୁ ମାତ୍ର ୧୫୦ ଫୁଟ୍‌ ଦୂରରେ ବ୍ରାହ୍ମଣୀ ନଈ ବହି ଯାଇଥିବା ବେଳେ ନଦୀ ସେପଟେ ଥିବା ବିଲରେ ସେ ମଇଁଷି ରଖନ୍ତି। ଆଜି ଦିନ ପ୍ରାୟ ୧୦ ଟା ବେଳେ ଅଭୟ ଖାଇ ସାରି ଡିଙ୍ଗି ଯୋଗେ ନଦୀର ଆରପାର୍ଶ୍ବକୁ ଯାଇଥିଲେ। ଡିଙ୍ଗିରେ ତାଙ୍କର ବଡପୁଅ ଅନିଲ ଓ ଗାଁର ବିଭୂତି ସ୍ବାଇଁ ଥିଲେ। ନଦୀ ଆର ପାର୍ଶ୍ବରେ ପହଁଚିବା ପରେ ଅଭୟ ପ୍ରଥମେ ଡଙ୍ଗାରୁ ଓହ୍ଲାଇ ନଈ କୂଳରେ ଗୋଡ଼ ଧୋଉଥିଲେ। ଏହି ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ଅଭୟଙ୍କୁ ଆକ୍ରମଣ କରିଥିଲା। ଅଭୟଙ୍କ ଚିତ୍କାର ଶୁଣି ଡଙ୍ଗାରେ ଥିବା ପୁଅ ଅନିଲ ଡଙ୍ଗା ଆହୁଲାରେ କୁମ୍ଭୀରକୁ ପିଟିବାକୁ ଲାଗି ଥିଲେ। ଆହୁଲା ବାଡିଟି ସରୁ ଥିବାରୁ ତାହା ଭାଙ୍ଗିଯାଇଥିଲେ ବି ସେ ସମୟରେ କୁମ୍ଭୀର ଅଭୟଙ୍କୁ ଛାଡି ଦେଇଥିଲା। ହେଲେ ପର ମୁହୂର୍ତ୍ତରେ ପୁଣି ଆକ୍ରମଣ କରି ଅଭୟଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା। ସେମାନଙ୍କ ଚିତ୍କାର ଶୁଣି ନଦୀ ଏପଟେ ଥିବା ଗାଁ ଲୋକେ ଭୁଟୁଭୁଟି ଓ ଡିଙ୍ଗି ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବର ପାଇ ରାଜନଗର ରେଞ୍ଜ ଅଫିସର୍‌ ଚିତ୍ତରଂଜନ ବେଉରାଙ୍କ ନେତୃତ୍ବରେ ବନବିଭାଗ ଟିମ୍ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଅଭୟଙ୍କ ପତ୍ତା ମିଳି ପାରି ନାହିଁ।  ଖୋଜାଖୋଜି ଜାରି ରହିଥିବା ବେଳେ ସେପଟେ ନଦୀରେ କୁମ୍ଭୀର ଭାସୁଥିବା ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି |

Breaking News