ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି-୨୦ ଶିଖର ସମ୍ମିଳନୀ ରେ ରୁଷ୍କୁ ନେଇ ରାଜନୀତି ଜୋର ଧରିଛି । ୟୁରୋପୀୟ ରାଷ୍ଟ୍ରସଂଘ ଅଧ୍ୟକ୍ଷ ଚାର୍ଲ୍ସ ମିସେଲ ଦିଲ୍ଲୀରେ ପହଞ୍ଚିବା ପରେ ରୁଷ୍କୁ କଡ଼ା ସମାଲୋଚନା କରିବା ସହ ପୂରା ବିଶ୍ବକୁ ରୁଷ୍ ଅସ୍ଥିର କରିବାକୁ ଯୋଜନା କରୁଥିବା କହିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍, ଫ୍ରାନ୍ସ ଓ ଆମେରିକା ମଧ୍ୟ ରୁଷ୍କୁ ଟାର୍ଗେଟ୍ କରି ବୟାନ ରଖିଛନ୍ତି। ବିଶେଷ କରି ୟୁରୋପକୁ ଶସ୍ୟ ଯୋଗାଣରେ ରୁଷ୍ ବଡ଼ ଧରଣର ପ୍ରତିବନ୍ଧକ ସୃଷ୍ଟି କରିଥିବାରୁ ଏହାକୁ ରୋକିବା ପାଇଁ ଜି-୨୦ ବୈଠକରେ ରୁଷ୍ ବିରୋଧରେ ଦୃଢ଼ ମତ ରଖିବାକୁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ପ୍ରସ୍ତୁତ ହେଉଛନ୍ତି। ରୁଷ୍ ଏବେ କୃଷ୍ଣ ସାଗରକୁ ରଣକ୍ଷେତ୍ରରେ ପରିଣତି କରିବା ସହ ଯୋଗାଣ ବ୍ୟବସ୍ଥାକୁ ବରବାଦ କରିବାରେ ଲାଗିଛି। ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରମାନଙ୍କ କଠୋର ଆର୍ଥିକ କଟକଣା ଏବଂ ବିଭିନ୍ନ କ୍ଷେତ୍ରରେ ବାସନ୍ଦକୁ ଭୃକ୍ଷେପ ନକରି ରୁଷ୍ ଯୁଦ୍ଧ ଜାରି ରଖିବା ସହ ୟୁକ୍ରେନ୍ର ରପ୍ତାନୀ ବ୍ୟବସ୍ଥା ପୂରା ନଷ୍ଟ କରିଦେବା ପାଇଁ ଯୋଜନା କରିଛି। ବିକଶିତ ରାଷ୍ଟ୍ରମାନଙ୍କ ଦ୍ବାରା ଆର୍ଥିକ ଓ ସାମରିକ ସହାୟତା ସତ୍ତ୍ବେ ରୁଷ୍ର ମୁକାବିଲା କରିବା ୟୁକ୍ରେନ୍ ପକ୍ଷେ କଷ୍ଟକର ହୋଇପଡ଼ିଥିବାରୁ ଏବେ ୟୁରୋପୀୟ ରାଷ୍ଟ୍ରମାନେ ରୁଷ୍ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଜି-୨୦ ମଞ୍ଚକୁ ବ୍ୟବହାର କରିବାକୁ ଚାହୁଛନ୍ତି। ତେବେ ଭାରତର ଏଜେଣ୍ଡାରେ ୟୁକ୍ରେନ୍ ଯୁଦ୍ଧକୁ ନେଇ ପୂର୍ବରୁ ସ୍ପଷ୍ଟ ମତ ରହିଛି ଏବଂ ଭାରତ ସିଧାସଳଖ ଏହି ମାମଲାରେ ପଶିବାକୁ ଚାହୁନାହିଁ। ଏଭଳି ସ୍ଥିତିରେ ଭାରତ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି। ଆଜି ୟୁରୋପୀୟ ସଂଘ ନେତାମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ରୁଷ୍ ବିରୋଧୀ ବୟାନ ରଖିଛନ୍ତି। ଭାରତ ଏବେ ୟୁରୋପୀୟ ସଂଘର ଏକ ବଡ଼ ବାଣିଜ୍ୟିକ ଅଂଶୀଦାର ହୋଇଥିବାରୁ ରୁଷ୍-ୟୁକ୍ରେନ୍ ପ୍ରସଙ୍ଗରେ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛି। ସୂଚନାଯୋଗ୍ୟ, ୟୁକ୍ରେନ୍ ଯୁଦ୍ଧ କାରଣରୁ ଦିଲ୍ଲୀ ଜି୨୦ ବୈଠକରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଇନଥିବା ବେଳେ ରୁଷ୍ର ବିଦେଶ ମନ୍ତ୍ରୀ ଏଥିରେ ସାମିଲ ହେବାକୁ ଆଜି ଭାରତ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଆୟୋଜକ ରାଷ୍ଟ୍ର ଭାରତ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କିଙ୍କୁ ଆମନ୍ତ୍ରଣ କରିନାହିଁ।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..