ରିପୋର୍ଟ କାର୍ଡ / ଭୁବନେଶ୍ୱର
ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ହଜାରେ କୋଟିର ବନ୍ୟା ପ୍ୟାକେଜ୍ ଘୋଷଣା କରିଛନ୍ତି। ଲୋକସେବା ଭବନରେ ଆଜି ସମୀକ୍ଷା ବୈଠକ ହେବା ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଏସଆରସି ମଧ୍ୟ ଉପସ୍ଥିତ ଥିଲେ।ଗତକାଲି ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ।ବନ୍ୟାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ଚାଷୀ, ମତ୍ସ୍ୟଜୀବୀ, ହସ୍ତଶିଳ୍ପୀ ଏବଂ ସାଧାରଣ ଲୋକଙ୍କ ପାଇଁ ପ୍ରାଥମିକ ଆକଳନ ପରେ ଏହି ପ୍ୟାକେଜ ଘୋଷଣା କରିଛନ୍ତି।ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପ୍ୟାକେଜର ପରିମାଣ ଆହୁରି ବଢିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ଥିବାରୁ ପ୍ରଭାବିତ ଅଞ୍ଚଳକୁ ଯାଇ ସେ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ଚାଷୀଙ୍କ ପାଇଁ ବନ୍ୟାରେ ପ୍ରଭାବିତ ଚାଷୀଙ୍କର ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା, କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ଆର୍ଥିକ ସହାୟତା ସହ ମାଗଣା ପନିପରିବା ମିନି କିଟ୍ ମଧ୍ୟ ଯୋଗାଇ ଦିଆଯିବ। ବନ୍ୟା ପରେ ରୋଗପୋକ ଯୋଗୁଁଁ ଫସଲ କ୍ଷତି ହେଲେ ଚାଷୀଙ୍କୁ ୭୫ ପ୍ରତିଶତ ସବସିଡି ମିଳିବ। ଏହାସହ ବନ୍ୟାରେ କ୍ଷତିଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ।ପ୍ରାଣୀ ସମ୍ପଦ ପାଇଁ ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସହାୟତା ଯୋଗାଇ ଦିଆଯିବ। ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ନଷ୍ଟ ହୋଇଥିଲେ ଆର୍ଥିକ ସହାୟତା ମିଳିବ। ବନ୍ୟାରେ କ୍ଷତିଗ୍ରସ୍ତ ହସ୍ତଶିଳ୍ପୀଙ୍କୁ ୫,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ବନ୍ୟାରେ ନଷ୍ଟ ହୋଇଥିବା ବାସନକୁସନ ଓ ପୋଷାକ ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇବେ ସରକାର।ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ୍ ଜିନିଷ ଯୋଗାଣ ଜାରି ରହିବ। ରିଲିଫ୍ ସହିତ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଜୀବିକାକୁ ସ୍ୱାଭାବିକ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ଡିଜିପି ନିଯୁକ୍ତି ମାମଲା;ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି…..
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……