Report Card Odisha

| Daily Odia News

ବାତ୍ୟା ‘ହମୁନ’ ପ୍ରଭାବରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ଆଜି ମହାନବମୀ ପୂଜା | ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବାତ୍ୟାର ରୂପ ନେବାର ସମ୍ଭାବନା ଥିବା ବେଳେ ତା’ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି ଓ ପାରାଦୀପରେ ହାଲୁକା ବର୍ଷା ହୋଇଛି। ପାରାଦୀପରେ କିଛି ସମୟ ପାଇଁ ଜୋରରେ ମଧ୍ୟ ବର୍ଷା ହୋଇଥିଲା। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଗାମୀ ୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତରପୂର୍ବ ଆଡ଼କୁ ଗତି କରୁଛି ଗଭୀର ଅବପାତ। ଏହା ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣରେ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତରପୂର୍ବକୁ ଗତି କରି ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ଖେପୁପାରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ବାଂଲାଦେଶ ଉପକୂଳକୁ ଗଭୀର ଅବପାତର ରୂପ ନେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଓଡ଼ିଶାକୁ ବାତ୍ୟା ଭୟ ନାହିଁ, କିନ୍ତୁ ବର୍ଷା ହେବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ହମୁନ’ର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ବି ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର- ଗୋପାଳପୁର, ପୁରୀ , ପାରାଦୀପ ଓ ଧାମରା ପାଇଁ ବିପଦ ସଙ୍କେତ ୩ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ SRCଙ୍କ ପକ୍ଷରୁ ସତର୍କ କରାଯାଇଛି। କୃଷି ଓ ଜଳସମ୍ପଦ ବିଭାଗ ସଚିବଙ୍କୁ ମଧ୍ୟ ସତର୍କ କରାଯାଇଛି। ପୌରାଞ୍ଚଳ ପ୍ରଶାସକଙ୍କୁ ମଧ୍ୟ ସତର୍କ ରହିବା ପାଇଁ ଚିଠି ଲେଖାଯାଇଛି। ସବୁ RDC ଓ ଅଗ୍ନିଶମ ବିଭାଗ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Breaking News