ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ୍ରେ ନାହିଁ ଜନତାଙ୍କ ହୃଦୟରେ ଅଛି ବୋଲି ପ୍ରାୟ ମାସେରୁ ଅଧିକ ହେବ ଜେଲ୍ରେ ଥିବା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏକ ଖୋଲା ଚିଠି ଲେଖିଛନ୍ତି। ରବିବାର ଦିନ କେନ୍ଦ୍ରୀୟ କାରାଗାରରେ ଭେଟିଥିବା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପତ୍ରରେ ନାଇଡୁ କହିଛନ୍ତି ଯେ, ଅନିଷ୍ଟକାରୀ ସରକାରର ଅବସାନ ଘଟାଇବା ଲାଗି ତାଙ୍କର ମତ ମଧ୍ୟ ଜନତା ମତ ସହିତ ସମାନ। ଜନତା ତାଙ୍କର ପରିବାର ବୋଲି କହି ସେ ଆହୁରି ମଧ୍ୟ କହିଛନ୍ତି, ଜେଲ୍ ପ୍ରକୋଷ୍ଠ ଭିତରେ ବସି ଚିନ୍ତା କରିବା ବେଳେ ତେଲୁଗୁ ଜନତାର ବିକାଶ ଓ ସେମାନଙ୍କ ମଙ୍ଗଳ ଉପରେ କେନ୍ଦ୍ରୀଭୂତ ହୋଇଥିବା ତାଙ୍କ ୪୫ ବର୍ଷର ରାଜନୈତିକ ଜୀବନ ଗୋଟି ଗୋଟି ହୋଇ ମନକୁ ଆସେ। ପରାଜୟ ଆଶଙ୍କାରେ ମୋତେ ଜେଲ୍ରେ ପୂରାଇ ଜନତାଠାରୁ ଅଲଗା କରିଦେଇଛନ୍ତି ବୋଲି ସେମାନେ (ସରକାର) ଭାବୁଛନ୍ତି। ମୁଁ ଆପଣମାନଙ୍କ ଗହଣରେ ନ ଥାଇ ପାରେ କିନ୍ତୁ, ବିକାଶ ରୂପରେ ଚାରିଆଡ଼େ ଦିଶୁଥିବି ବୋଲି ଚନ୍ଦ୍ରବାବୁ କହିଛନ୍ତି। ଜନସାଧାରଣଙ୍କ ହିତ ପାଇଁ ଖୁବ୍ ଶୀଘ୍ର ଜେଲ୍ରୁ ମୁକୁଳି ଆସିବେ ଓ ରାଜ୍ୟର ବିକାଶ ନିମନ୍ତେ ଦ୍ବିଗୁଣ ଉତ୍ସାହରେ କାର୍ଯ୍ୟ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଦଶହରା ସୁଦ୍ଧା ପୂର୍ଣ୍ଣାଙ୍ଗ ଇସ୍ତାହାର ପ୍ରକାଶ କରିବେ ବୋଲି ସେ ରାଜମହେନ୍ଦ୍ରବରମ୍ରେ ଘୋଷଣା କରିଥିଲେ କିନ୍ତୁ, ଏଠାରେ ହିଁ ତାଙ୍କୁ ଜେଲ୍ରେ ଭର୍ତ୍ତି କରାଗଲା। ପୂର୍ବରୁ କେବେ ପଦାକୁ ବାହାରି ନ ଥିବା ସ୍ତ୍ରୀ ଭୁବନେଶ୍ବରୀଙ୍କୁ ଅନୁରୋଧ କରି ନାଇଡୁ କହିଛନ୍ତି ଯେ, ସେ ଯାଇ ଜନସାଧାରଣଙ୍କ ପାଇଁ ସଂଗ୍ରାମ କରନ୍ତୁ। ଭୁବନେଶ୍ବରୀ ବି ତାଙ୍କ କଥାରେ ରାଜି ହୋଇ ‘ସତ୍ୟର ବିଜୟ ହେବ’ ଅଭିଯାନରେ ଜନସାଧାରଣଙ୍କ ନିକଟକୁ ଯିବେ ବୋଲି କହିଛନ୍ତି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..