ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଉପରେ ହମାସ୍ ଚଳିତମାସ ୭ ତାରିଖରେ ଅଚାନକ ଆକ୍ରମଣ କଲା। ଇସ୍ରାଏଲ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାରୁ ସେଠାରେ ଏବେ ଯୁଦ୍ଧର ଲାଗି ରହିଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲରେ ହମାସ୍ ଆକ୍ରମଣର କାରଣ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜି ୨୦ ଶିଖର ସମ୍ମିଳନୀରେ ଉଚ୍ଚାଭିଳାଷୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର୍ (ଆଇଏମ୍ଇଇସି) ନିର୍ମାଣ ନେଇ ଘୋଷଣା ଫଳରେ ହମାସ୍ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଆମେରିକା ଗସ୍ତରେ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କୁ ଭେଟିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ ଏଭଳି ବିବୃତି ରଖିଛନ୍ତି। ତେବେ ତାଙ୍କ ବିଶ୍ଳେଷଣ ଅନୁଭବ ଉପରେ ପର୍ଯ୍ୟବସିତ ଏବଂ ଏ ନେଇ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି। ଇସ୍ରାଏଲର ଆଞ୍ଚଳିକ ସଂହତି ସହିତ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସଂହତି ସ୍ଥାପନ ପାଇଁ ହୋଇଥିବା ଅଗ୍ରଗତି ଏହି ଆକ୍ରମଣର ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି। ତେବେ ଉକ୍ତ କାର୍ଯ୍ୟକୁ ପଛରେ ପକା ଯାଇପାରିବ ନାହିଁ ବୋଲି ବାଇଡେନ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ପାଇଁ ବାଇଡେନ ଆଇଏମଇଇସି ଆତଙ୍କବାଦୀ ସଗଠନ ହମାସ୍ ଆକ୍ରମଣର ସମ୍ଭାବ୍ୟ କାରଣ ବୋଲି କହିଛନ୍ତି। ଆଇଏମ୍ଇଇସିକୁ ଚୀନର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ର ବିକଳ୍ପ ଭାବେ ବିବେଚନା କରାଯାଉଛି। ଉକ୍ତ ପ୍ରକଳ୍ପକୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜି ୨୦ ସମ୍ମିଳନୀରେ ଆମେରିକା, ଭାରତ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଜର୍ମାନୀ, ଇଟାଲି ଏବଂ ୟୁରୋପୀୟ ସଂଘର ନେତାମାନଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି। ଏହି ପ୍ରକଳ୍ପର ପୂର୍ବାଞ୍ଚଳ କରିଡର ଭାରତକୁ ଉପସାଗରୀୟ ଅଞ୍ଚଳ ସହିତ ଯୋଡ଼ିବ। ସେହିଭଳି ଉତ୍ତରାଞ୍ଚଳ କରିଡର ଉପସାଗରୀୟ ଅଞ୍ଚଳରୁ ୟୁରୋପକୁ ଯୋଡ଼ିବ। ଉକ୍ତ ଅର୍ଥନୈତିକ କରିଡର ସ୍ଥାପନ ଦ୍ବାରା ଭାରତରୁ ୟୁରୋପ ମଧ୍ୟରେ ରେଳପଥରେ ଯୋଗାଯୋଗ ସମ୍ଭବ ହେବ।
More Stories
ଆଦାନୀଙ୍କ ନିୟନ୍ତ୍ରଣରେ ମୋଦୀ…..
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….