Report Card Odisha

| Daily Odia News

ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜଣେ ଯୁବ ଇଞ୍ଜିନିୟର ୮ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ୨୩ ବର୍ଷୀୟ ରୋନିତ ଜେନା ଆପାର୍ଟମେଣ୍ଟରୁ ଦେଇ ଆତ୍ମହତ୍ୟା କରିଛନ୍ତି | ସେ ଖାରବେଳନଗର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ପ୍ରେମରେ ପ୍ରତାରଣା ପାଇଁ ରୋନିତ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପା ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ରୋନିତଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁକରି ତନାଘନା ଆରମ୍ଭ କରିଛି । ରୋନିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରୋନିତ ବ୍ରହ୍ମପୁରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ଉକ୍ତ କଲେଜର ଜଣେ ଜୁନିଅର ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ରୋନିତ ଏକ ଘରୋଇ କଂପାନୀରେ ଚାକିରି ପାଇଥିଲେ । ପ୍ରାୟ ବର୍ଷେ ହେଲା ପ୍ରେମ ସଂପର୍କ ଭିତରେ ଯୁବତୀ ଜଣଙ୍କ ରୋନିତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଶେଷରେ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ । ଯେଉଁଥିପାଇଁ ରୋନିତ ଗତ କିଛିଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ପାର୍ବଣରେ ରୋନିତ ଘରକୁ ଆସିଥିଲେ । ୧୨ ତାରିଖରେ ରୋନିତ ମା’ଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପୂଜା ମଣ୍ଡପ ବୁଲାଇଥିଲେ । ପରେ ରାତିରେ ସମସ୍ତେ ମିଶି ଏକାଠି ଖାଇଥିଲେ । ବିଳମ୍ବିତ ରାତିରେ ରୋନିତ ମୋବାଇଲରେ ପ୍ରେମିକାଙ୍କ ସହ ଉଚ୍ଚବାଚ୍ଚରେ କଥା ହୋଇଥିଲେ । ଭୋର ୪ଟା ସମୟରେ ସେ ଆପାର୍ଟମେଣ୍ଟର ୮ ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ । ତଳେ ରୋନିତଙ୍କ ମୃତଦେହ ପଡ଼ିଥିବା ଦେଖି ପାଖ ପଡ଼ୋଶୀମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ରୋନିତଙ୍କ ଆତ୍ମହତ୍ୟା ପୂର୍ବର ଦୃଶ୍ୟ ଆପାର୍ଟମେଣ୍ଟର ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି । ବାପା ନବ କୁମାର ଖାରବେଳନଗର ଥାନାରେ ପହଞ୍ଚି ରୋନିତଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକାକୁ ଦାୟୀ କରିଛନ୍ତି । ତାଙ୍କ ପୁଅଠାରୁ ଅଜସ୍ର ଟଙ୍କା ଝଡ଼ାଇବା ପରେ ସଂପୃକ୍ତ ଯୁବତୀ ପ୍ରତାରଣା କରିବାରୁ ମୋ ପୁଅ ଆତ୍ମହତ୍ୟା କଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସଂପୃକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

Breaking News