ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ପ୍ରସଙ୍ଗକୁ ବିଜେଡି ସମାଲୋଚନା କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ବିଜେଡି ସଭାନେତ୍ରୀ ଈପ୍ସିତା ସାହୁ ଓ ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଥିଲେ, ବିଜେପି ନେତା ଅରିନ୍ଦମ ରାୟ କଟକ ଜିଲ୍ଲାର ଜଣେ ଏବିଡିଓ ଏବଂ ଜଣେ ମହିଳା କର୍ମଚାରୀଙ୍କୁ ଯେଭଳି ଦୁର୍ବ୍ୟବହାର କଲେ ତାହା ଅତ୍ୟନ୍ତ ଦୁଃଖଦାୟକ। ଅରିନ୍ଦମ କେବଳ ଅଭଦ୍ରାମି କରିନାହାନ୍ତି, ଔଦ୍ଧତ୍ୟର ସବୁ ସୀମା ଟପିଯାଇଛନ୍ତି। ସରକାରୀ ଅଧିକାରୀଙ୍କୁ ସେ ଦୁର୍ବ୍ୟବହାର କରିବା ସମୟରେ ଆଠଗଡ଼ର ଜଣେ ବିଜେପି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜଣେ ସରକାରୀ କର୍ମଚାରୀ ହେବା ପାଇଁ କେତେ ପରିଶ୍ରମ କରିବାକୁ ପଡ଼େ, ତାହା ବିଜେପି ନେତା ଜାଣିନାହାନ୍ତି। ଏ ସରକାର ସମୟରେ ସରକାରୀ ଚାକିରି ଖଣ୍ଡେ ମିଳୁ ନ ଥିବା ବେଳେ ବିଜେପି ନେତା ଅଭଦ୍ରାମିର ସବୁ ସୀମା ଟପି ସରକାରୀ ଅଫିସରଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଚାଲିଛନ୍ତି। ଅରିନ୍ଦମଙ୍କ ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଜଣେ ମହିଳା କର୍ମଚାରୀଙ୍କ ସହ ଯେଉଁଭଳି ଭାବେ ବଚସା କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ସର୍ବଦା ନାରୀ ବନ୍ଦନାର କଥା କହୁଥିବା ବେଳେ ନାରୀଙ୍କୁ ଅସମ୍ମାନ କରିବା ନିନ୍ଦନୀୟ। ବିଜେପି ନେତା ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଦାବି କରିଛି।






More Stories
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……
ଗ୍ରୀଷ୍ମ ତାପରେ ଜଳୁଛି ଓଡ଼ିଶା…..