ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଟା ଅଙ୍କର ବେତନ,ବିଳାସପୂର୍ଣ୍ଣ ଜୀବନଶୈଳୀ ଦ୍ବାରା ଆକର୍ଷିତ ହୋଇ ଚାକିରି ଲାଗି ଆମେରିକା ଯାଇଥିବା ବହୁ ଭାରତୀୟ ଆଇଟି କର୍ମଚାରୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଆମେରିକାର ବଡ଼ ପ୍ରଯୁକ୍ତି କଂପାନି ଗୁଗୁଲ୍, ମାଇକ୍ରୋସଫ୍ଟ, ଫେସ୍ବୁକ୍ ଓ ଆମାଜନ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ପରେ ବହୁ ଭାରତୀୟ ମଧ୍ୟ ଚାକିରି ହରାଇଛନ୍ତି। ଆମେରିକାରେ ରହିବାକୁ ହେଲେ ସେମାନଙ୍କୁ ୬୦ ଦିନରେ ନୂଆ ଚାକିରି ଯୋଗାଡ଼ କରିବାକୁ ପଡ଼ିବ। ନୂଆ ଚାକିରି ନମିଳିଲେ ଭିସା ଅବଧି ଶେଷ ହେବାର ୧୦ ଦିନ ଭିତରେ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଯେତେବେଳେ ସବୁ କଂପାନି ସେମାନଙ୍କ ଶହ ଶହ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ସେହି ସମୟରେ ନୂଆ ଚାକିରି ଯୋଗାଡ଼ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାରରେ ପରିଣତ ହୋଇଛି। ଭାରତୀୟ ଆଇଟି କର୍ମଚାରୀଙ୍କ ଆମେରିକା ସ୍ବପ୍ନ ଏବେ ଦୁଃସ୍ବପ୍ନରେ ପରିଣତ ହୋଇଛି। ଗତବର୍ଷ ନଭେମ୍ବର ପରଠାରୁ ଆମେରିକା ପ୍ରଯୁକ୍ତି ଶିଳ୍ପରେ ଦୁଇ ଲକ୍ଷ ଆଇଟି କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ସେଥିରୁ ୩୦-୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। ଏଚ୍୧-ବି ଓ ଏଲ୍୧ ଭିସା ବଳରେ ସେମାନେ ଆମେରିକାରେ ରହୁଛନ୍ତି। ଏଚ୍-୧ବି ଭିସା ସେହି ବିଦେଶୀ ନାଗରିକଙ୍କୁ ପ୍ରଦାନ କରାଯାଉଛି ଯେଉଁମାନେ ଆମେରିକୀୟ କଂପାନି ପାଇଁ ଆମେରିକାରେ କାମ କରୁଛନ୍ତି। ଆମେରିକାର ଆଇଟି କଂପାନିଗୁଡ଼ିକ ପ୍ରତିବର୍ଷ ଭାରତ ଓ ଚୀନ୍ର ହଜାର ହଜାର ଆଇଟି ପ୍ରଫେସନାଲ୍ଙ୍କୁ ଏହି ଭିସା ଦେଉଛନ୍ତି। ଭାରତୀୟଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି ଗୁଗୁଲ୍ର ଭିସା ପ୍ରକ୍ରିୟାକରଣ ବନ୍ଦ ନିଷ୍ପତ୍ତି। ଯେହେତୁ କଂପାନି ବହୁ କର୍ମଚାରୀଙ୍କୁ ଛଟେଇ କରୁଛି, ତେଣୁ ଏଭଳି ଏକ ସମୟରେ ବିଦେଶୀ ଆଇଟି କର୍ମଚାରୀ ଦରକାର ବୋଲି କଂପାନି ଯୁକ୍ତି ଉପସ୍ଥାପନ କରିପାରିବନି। ଆଗାମୀ ଦିନରେ ଅନ୍ୟ କଂପାନିଗୁଡ଼ିକ ମଧ୍ୟ ଭିସା ପ୍ରକ୍ରିୟାକରଣ ବନ୍ଦ କରିବା ଆଶଙ୍କା ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..