Report Card Odisha

| Daily Odia News

ସାମ୍ନାକୁ ଆସିଛି ସନ୍ଦୀପ ଘୋଷଙ୍କ କଳା କାରନା,ଯୁକ୍ତିରେ ବ୍ୟାପକ ଜାଲିଆତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆର୍‌ଜି କର ହସ୍ପିଟାଲର ଆର୍ଥିକ ଅନିୟମିତତାର ସିବିଆଇ ତଦନ୍ତରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ତାଙ୍କ ସହଯୋଗୀଙ୍କ ଅନେକ କଳା କାରନାମା ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳରେ ହେରଫେର କରିବାଠାରୁ ଆରମ୍ଭ କରି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଭିନ୍ନ ପଦପାଇଁ ନିଯୁକ୍ତ କରିବା ସମେତ ବିଭିନ୍ନ ସୂତ୍ରରୁ ଟଙ୍କା ଆଦାୟ କରାଯିବା ସଂକ୍ରାନ୍ତ ବ୍ୟାପକ ତଥ୍ୟ ହାସଲ କରିଛି ସିବିଆଇ। ଏ ବାବଦରେ ସ୍ବତନ୍ତ୍ର ସିବିଆଇ ଅଦାଲତରେ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଏକ ସ୍ୱଚ୍ଛ ପଦ୍ଧତି ଅବଲମ୍ବନ ନକରି ଘୋଷ ସିଧାସଳଖ ତାଙ୍କ ପସନ୍ଦର କର୍ମଚାରୀଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳରେ ହେରଫେର କରାଯାଇ ବିପୁଳ ଅର୍ଥ ଆଦାୟ କରାଯାଇଛି। କର୍ମଚାରୀ ନିଯୁକ୍ତି ନେଇ ନିର୍ଦ୍ଧାରିତ କୌଣସି ପ୍ରକ୍ରିୟା ଅନୁସରଣ କରାଯାଇନଥିବା ବେଳେ ଘୋଷଙ୍କ ଏକପାଖିଆ ନୀତିରେ ହିଁ ସବୁକିଛି ଚାଲିଥିଲା ବୋଲି ସିବିଆଇ ଦର୍ଶାଇଛି। ହାଉସ୍‌ ଷ୍ଟାଫ୍‌ ନିଯୁକ୍ତି ନେଇ କମିଟି ଗଠନ ହୋଇଥିଲେ ହେଁ କୌଣସି ସଦସ୍ୟ ଚୟନ ପ୍ରକ୍ରିୟା ସମ୍ବନ୍ଧୀୟ ଦସ୍ତାବିଜରେ ଦସ୍ତଖତ କରିନାହାନ୍ତି। ଆର୍‌ଜି କର ମେଡିକାଲ କଲେଜର ଡାକ୍ତରମାନେ କହିଛନ୍ତି ଯେ ଡାକ୍ତରଖାନାରେ ହାଉସ୍‌ ଷ୍ଟାଫ୍‌ ଚୟନ ପାଇଁ କୌଣସି ପ୍ୟାନେଲ ଗଠନ ନକରି ଘୋଷ ସିଧାସଳଖ ନିଷ୍ପତ୍ତି ନେଉଥିଲେ। ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ନିମନ୍ତେ ଘୋଷଙ୍କ ତତ୍ତ୍ବାବଧାନରେ ‘ସାକ୍ଷାତକାର’ ବ୍ୟବସ୍ଥା ଆରମ୍ଭ ହୋଇଥିଲା ଏବଂ ଅନେକ ମେଧାବୀ ଛାତ୍ର ଏଥିରୁ ବାଦ୍ ପଡ଼ିଥିଲେ। ମିଥ୍ୟା ଓ କାଳ୍ପନିକ ସାକ୍ଷାତକାର ବ୍ୟବସ୍ଥାରେ ଘୋଷ ନିଜ ଲୋକଙ୍କୁ ଅଧିକ ନମ୍ବର ଦେଇ ନିଯୁକ୍ତି ଦେଉଥିଲେ। ଏହା ସହିତ ହସ୍ପିଟାଲର ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଜାଲିଆତି ସଂପର୍କରେ ସିବିଆଇ ପ୍ରମାଣ ହାସଲ କରିଛି। କେତେକ ନକଲି କମ୍ପାନି କିପରି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ ତାହା ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ତଦନ୍ତ ପରେ ମେସର୍ସ ବାବା ଲୋକନାଥ ଓ ଟିଆଶା ଏଣ୍ଟରପ୍ରାଇଜେସ୍ ନାମକ ଆଉ ଦୁଇଟି କମ୍ପାନି ସାମ୍ନାକୁ ଆସିଛି। ଘୋଷ ଏହି ବେଆଇନ କାର୍ଯ୍ୟର ମୁଖ୍ୟ ସଂଚାଳକ ସାଜିଥିବା ବେଳେ ତାଙ୍କ ବିରୋଧରେ ନାନା ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅଧିକାରୀମାନେ ବିସ୍ମୟ ପ୍ରକଟ କରିଛନ୍ତି।

Breaking News