Report Card Odisha

| Daily Odia News

କରୋନା ମାଡ଼ରେ ଜୀବନ ଜୀବିକା ଅସ୍ତ ବ୍ୟସ୍ତ,ପୁଣି ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପୁଣି କରୋନାର ଦ୍ଵିତୀୟ ଲହର ତାଣ୍ଡବ ରଚୁଛି | ଧୀରେ ଧୀରେ କାୟାମେଲାଇ ଚାଲିଛି | ସରକାର ସଂକ୍ରମଙ୍କୁ ଏଡ଼ାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ , ଲକ୍‌ଡାଉନ୍‌, ଏବଂ ସଟଡାଉନ ଘୋଷଣା କରୁଛନ୍ତି | ଆଉ ଏହାର ପ୍ରଭାବରେ ଜୀବନ ଜୀବିକା ଅସ୍ତ ବ୍ୟସ୍ତ ହୋଇ ପଡୁଛି | ଖଟିଖିଆ ଦିନମଜୁରିଆଙ୍କୁ ଆଉ ପ୍ରବାସୀଶ୍ରମିକ ହେଉଛନ୍ତି ହଟହଟା | ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ପୁଣି ଥରେ ଜନଗହଳି। ଘରକୁ ଫେରିବାକୁ ଭିଡ଼ ଜମାଇଛନ୍ତି ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଏବେ ସେମାନେ ଘର ମୁହାଁ । ଗତକାଲି ରାତି ତମାମ ଆନନ୍ଦବିହାର ବସ୍ ଟର୍ମିନାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଥିଲେ । ଏତେ ସଂଖ୍ୟାରେ ଲୋକ ଥିଲେ ଯେ, ବସ୍ ବି କମ୍ ପଡ଼ିଥିଲା । କେହି କେହି ବସ୍ ଉପରେ ବସି ଘରକୁ ଫେରିଥିବା ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ଲକଡାଉନ ପୂର୍ବରୁ ହିଁ ଲୋକେ ଚାଲି ଚାଲି ଘରକୁ ଫେରୁଥିବା ଘଟଣା ବି ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ବହୁ ଶ୍ରମିକ ଗତକାଲି ଦିଲ୍ଲୀ ହାଇେୱେରେ ଚାଲି ଚାଲି ଘରକୁ ବାହାରିଛନ୍ତି । ଦିଲ୍ଲୀରେ ଭଡ଼ା ଘରେ ରହୁଥିଲେ, କିଛି ଦିପଇସା କମାଇ ଗାଁକୁ ନେବେ ବୋଲି ଆଶା ରଖିଥିଲେ । ଗତ ଥର ଲକଡାଉନ୍ ପରେ ପୁଣି ଥରେ ସାହାସ ଜୁଟାଇ ଦିଲ୍ଲୀ ‌ଆସିଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତି ପୁଣି ଥରେ ସବୁ କିଛି ବିଗାଡ଼ି ଦେଇଥିବା ସେମାନେ କହିଛନ୍ତି । ସୂଚନାଯୋଗ୍ୟ ସଂକ୍ରମଣରେ ବ୍ରେକ୍‌ ଲଗାଇବା ଲାଗି ଗତକାଲି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗତକାଲି ଘୋଷଣା କରିଥିଲେ । ଦିଲ୍ଲୀରେ ଏବେ ଦୈନିକ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦୈନିକ ୨୫ ହଜାର ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କାଠିକର ପାଠ ହୋଇଛି। ଏହାଠାରୁ ଅଧିକ ହେଲେ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ। ଦିଲ୍ଲୀରେ ICU ବେଡ୍, ଅକ୍ସିଜେନର ଅଭାବ ଦେଖାଦେଲାଣି। ରେମଡେସିଭିର ବି ଅଭାବ ପରିଲକ୍ଷିତ ହେଲାଣି। ଆଉ ଏହାକୁ ଦୃଷ୍ଟିରେ ରଖି ଏଭଳି କଡ଼ା ପଦକ୍ଷେପ ନେବାକୁ ପଡୁଛି ବୋଲି କହିଥିଲେ ଅରବିନ୍ଦ କେଜ୍ରିୱାଲ୍ । ତେବେ ଲକଡାଉନ୍ ଘୋଷଣା ପରେ ଦିଲ୍ଲୀ ଛାଡ଼ି ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଏହି ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବାକୁ ପ୍ରୟାସ କରାଯିବ। ଏହି ସମୟରେ ବିଭିନ୍ନ ମେଡିକାଲ୍‌କୁ ଅକ୍ସିଜେନ୍, ମେଡିସିନ୍ ଯୋଗାଣ ତ୍ୱରାନ୍ୱିତ କରାଯିବ । ଦିଲ୍ଲୀରେ ଏବେ ଦୈନିକ ୧ ଲକ୍ଷ ଟେଷ୍ଟିଂ କରାଯାଉଛି।

Breaking News