ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ପରେ ହେବ କବଜା କରିଥିଲେ ମଧ୍ୟ ସରକାର ଗଠନ କରିନାହିଁ | ଆସନ୍ତା କାଲି ଅର୍ଥାତ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଲି ଘୋଷଣା କରିଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଜୁମେ ନମାଜ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ । ତାଲିବାନ ୧୫ ଅଗଷ୍ଟରେ ରାଜଧାନୀ କାବୁଲକୁ ନିଜ କବଜାକୁ ଆଣିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଇ ଯାଇଛି । ସୋମବାର ଆମେରିକା ସେନା ଦେଶ ଛାଡ଼ିବା ପରେ ଆକାଶକୁ ଫାୟାରିଂ କରି ତାଲିବାନ ଖୁସି ମନାଇଥିଲା। ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଆତଙ୍କବାଦୀ ସଂଗଠନ ଦେଶର ଶାସନ ଭାର ଗ୍ରହଣ କରିବାକୁ ଯାଉଛି । ଏବେ ବିଦେଶରୁ ଆର୍ଥିକ ସହୟତା ମିଳିଲେ ହିଁ ଦେଶ ଚାଲିପାରିବ। ସେପଟେ ଆଫଗାନିସ୍ତାନ ପାଇଁ ଖାଦ୍ୟ ସମସ୍ୟା ଏକ ବଡ଼ ଆହ୍ବାନ ହୋଇ ମଧ୍ୟ ଛିଡ଼ା ହୋଇଛି। ଏହି ସମୟରେ ତାଲିବାନ କିପିରି ଦେଶରେ ଶାସନ କରିବ ତା ଉପରେ ମଧ୍ୟ ବିଶ୍ବର ନଜର ରହିଛି। କିନ୍ତୁ ଏହା ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ କିଏ ସୁପ୍ରିମ ଲିଡର ରହିବ ସେନେଇ ମଧ୍ୟ ସୂଚନା ମିଳିଛି। ଆଫଗାନି ମଡିଆ ରିପୋର୍ଟ ମୁତାବିକ, ତାଲିବାନ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ସରକାରର ମୁଖ୍ୟ ହେବ ଏବଂ ତା ନିର୍ଦେଶାନୁସାରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି କାର୍ଯ୍ୟ କରିବେ। ତାଲିବାନର ସାଂସ୍କୃତିକ କମିଶନର ସଦସ୍ୟ ଅନମୁଲ୍ଲାହ ସମନଗନୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ନୂଆ ସରକାର ଉପରେ ବିଚାର ବିମର୍ସର ସମସ୍ତପ ପ୍ରକ୍ରିୟା ଶେଷ ହୋଇଛି। କ୍ୟାବିନେଟ ପାଇଁ ମଧ୍ୟ ଜରୁରୀ ନିଷ୍ପତ୍ତି ନିଆଯାଇଛି। ଆମେ ଯେଉଁ ଇସଲାମ୍ ସରକାର ଘୋଷଣା କରିବୁ ତାହା ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ଅଖୁନ୍ଦଜାଦାଙ୍କ ନେତୃତ୍ବରେ ସରକାର ଗଠନ ହେବ । ଏଥିରେ କୌଣସି ସନ୍ଦେହ ନାହିଁ।’ ଅନ୍ୟପଟେ ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ନେଇ ଆମେରିକାର ପ୍ରତିକ୍ରିୟା ମିଳିଛି । ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ତାଲିବାନକୁ ମାନ୍ୟତା ଦେବାକୁ ତରିବରିଆ ନିଷ୍ପତ୍ତି ନେବେ ନାହିଁ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ତେବେ ଏହି ମାନ୍ୟତା ତାଲିବାନର ବ୍ୟବହାର ଉପରେ ନିର୍ଭର କରୁଛି ବୋଲି ମଧ୍ୟ ଆମେରିକା କହିଛି ।
Discussion about this post