ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆସନ୍ତା ଫେବୃୟାରୀ ମାସରୁ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ଲାଗୁ କରିବାକୁ ନେଇ ଥିବା ପ୍ରତିବନ୍ଧକକୁ ଦୂର କରିବା ପରେ ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଆସନ୍ତା ସପ୍ତାହରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ । ଏହି ସ୍କିମ୍ ଓଡ଼ିଶାରେ ‘ଇନସ୍ୟୁରାନ୍ସ’ ବଦଳରେ ‘ଆସ୍ୟୁରାନ୍ସ’ ଭଳି କାର୍ଯ୍ୟ କରିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସହମତି ହୋଇଛି । କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସୁବିଧାକୁ ଜାରି ରଖିବା ପାଇଁ ପ୍ରଚଳିତ ନିୟମରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । କେବଳ ନାମ ପରିବର୍ତ୍ତନ(ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା) ସହ ଅନ୍ୟ ସମସ୍ତ ସୁବିଧା ଉପଲବ୍ଧ ହେବ । ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କୁ ଅତିରିକ୍ତ ୫ଲକ୍ଷ ଟଙ୍କା(୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ଚିକିତ୍ସା ସୁବିଧା ଏହି ଆସ୍ୟୁରାନ୍ସ ମଡେଲ ମାଧ୍ୟମରେ ଯୋଗାଇ ଦିଆଯିବ। ରାଜ୍ୟ ସରକାର ଆସନ୍ତା ଫେବୃୟାରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।
More Stories
ପୋଲିସ ମିତ୍ର ହତ୍ୟା ଘଟଣାରେ ୫ ଗିରଫ…..
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି…..
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍….