ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ ଗଙ୍ଗୱାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ କାମ କରୁଥିଲେ। ହେଲେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି। ତେବେ ସେ କାହିଁକି ଇସ୍ତଫ ଦେଲେ, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ପଠାଇ ଦେଇଛନ୍ତି। ଚର୍ଚ୍ଚା ଅନୁଯାୟୀ, ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ୭୨ ବର୍ଷୀୟ ଗଙ୍ଗୱାର ଉତ୍ତର ପ୍ରଦେଶର ବରେଲୀ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ହୋଇଛନ୍ତି। ୧୯୮୯ରୁ କ୍ରମାଗତ ଭାବେ ସେ ଏହି ଆସନରୁ ଜିତି ଆସୁଥିଲେ। ତେବେ ୨୦୦୯ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କିନ୍ତୁ ସେ ପୁଣି ୨୦୧୪ ଓ ୨୦୧୯ରେ ଏଠାରୁ ଜିତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଶ୍ରମ ମନ୍ତ୍ରୀ ହେବା ପୂର୍ବରୁ ଟେକ୍ସଟାଇଲ ଓ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଥିଲେ। ସେହିପରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ମଧ୍ୟ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ମନ୍ତ୍ରୀ ଭାବେ କାମ କରିବାକୁ ଚାହୁଁ ନଥିବାରୁ ପୂର୍ବରୁ ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ କ୍ୟାବିନେଟରୁ ବାଦ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପୋଖରିୟାଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ବେଙ୍ଗଲ ସାଂସଦ ତଥା ମହିଳା, ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ଯାଇ ମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ପ୍ରତାପ ଷଡ଼ଙ୍ଗୀ ଲୋକସଭାକୁ ନିର୍ବାଚିତ ହେବା ପରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଏଣ୍ଟରପ୍ରାଇଜର୍ସ ମିନିଷ୍ଟ୍ରୀ ସହ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ । ବାବୁଲ ସୁପ୍ରିୟୋ ଇସ୍ତଫା ଦେଇଛନ୍ତି | ବାବୁଲ ସୁପ୍ରିୟୋ ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଥିଲେ | ସଦାନନ୍ଦ ଗୌଡ଼ ଦେଲେ ଇସ୍ତଫା | ସଦାନନ୍ଦ ଗୌଡାଙ୍କୁ ମଧ୍ୟ କ୍ୟାବିନେଟରୁ ଛୁଟି ଦିଆଯାଇଛି।
Discussion about this post