ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗଣ ସଙ୍ଗଠନକୁ ନେଇ ସୋମବାର ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଦାବି ଏବଂ ବନ୍ଦ ସଫଳ ଲାଗି ପ୍ରଚାର ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ମଙ୍ଗଳବାରଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଓ ବ୍ଲକ୍ ସ୍ତରରେ ପ୍ରସ୍ତୁତି ବୈଠକ, କର୍ମୀ ସଭା, ଗାଁ ବୈଠକ, ଶୋଭାଯାତ୍ରା ଏବଂ ପ୍ରଚାରପତ୍ର ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରାଯିବ। ସେହିପରି ୨୬ ତାରିଖରେ ମଶାଲ ଶୋଭାଯାତ୍ରା ଆୟୋଜନ ହେବ। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର କରାଯିବା, ଶ୍ରମିକ ବିରୋଧୀ ଶ୍ରମ କୋଡ୍ ରଦ୍ଦ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଆଇନଗତ ବ୍ୟବସ୍ଥା କରାଯିବା ସମେତ ମହିଳା, ଛାତ୍ର, ଯୁବକ, କୃଷି ଶ୍ରମିକ, ଆଦିବାସୀ, ଦଳିତ ଆଦି ସବୁ ବର୍ଗଙ୍କ ଦାବି ଏହି ଆନ୍ଦୋଳନରେ ଅନ୍ତର୍ଭୁକ୍ତ ହୋଇଛି। କୃଷକ ନେତା ଶଶିଭୂଷଣ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ୫୦ରୁ ଉର୍ଦ୍ଧ୍ୱ ଗଣସଙ୍ଗଠନର କର୍ମକର୍ତ୍ତା ସାମିଲ ଥିଲେ। ବନ୍ଦକୁ ସଫଳ କରିବା ନିମନ୍ତେ ସମସ୍ତ ଗଣସଙ୍ଗଠନର ପ୍ରତିନିଧିମାନଙ୍କୁ ନେଇ ‘୨୭ ସେପ୍ଟେମ୍ବର ଭାରତ ବନ୍ଦ ପ୍ରସ୍ତୁତି କମିଟି’ ଗଠନ କରାଯାଇଛି। ଏଥିସହ ୨୧ ଦଫା ଦାବି ସନନ୍ଦ ଗୃହୀତ ହୋଇଛି। କୃଷକ ନେତା ସୁରେଶ ପାଣିଗ୍ରାହୀ ପ୍ରାରମ୍ଭରେ ଦାବି ସନନ୍ଦ ଓ ପ୍ରଚାର କାର୍ଯ୍ୟକ୍ରମର ଏକ ପ୍ରସ୍ତାବବଳୀ ଉପସ୍ଥାପନ କରିଥିଲେ। କୃଷକ ନେତା ଯମେଶ୍ୱର ସାମନ୍ତରାୟ, ଶଙ୍କର ସାହୁ, ପ୍ରତାପ ନାୟକ, ଶେଷଦେବ ନନ୍ଦ, ଅରୁଣ ଜେନା, ବଂଶୀଧର ପରିଡା, ଶ୍ରମିକ ନେତା ବୀରେନ୍ଦ୍ର ପ୍ରସାଦ ଦାସ, ଜୟନ୍ତ ଦାସ, ପୁଷ୍ପା ଦାଶ, ମହେନ୍ଦ୍ର ପରିଡା, ମହିଳା ନେତ୍ରୀ ଛବି ମହାନ୍ତି, ଛାତ୍ର ନେତା ସୁବାସ ନାୟକ, ଜନ ଆନ୍ଦୋଳନ ତରଫରୁ ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….