ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ଆଜି ‘ସଂଯୁକ୍ତ କିଷାନ୍ ମୋର୍ଚ୍ଚା’ ୧୨ ଘଣ୍ଟିଆ ଭାରତ ବନ୍ଦ ଡ଼ାକରାରେ ପ୍ରତିବାଦକାରୀ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ପାଇଁ ଡାକରା ଦେଇଛି ସଂଯୁକ୍ତ କିଷାନ୍ ମୋର୍ଚ୍ଚା | ଗାଜିପୁର ସୀମାନ୍ତରେ ଶହ ଶହ କୃଷକ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଅମ୍ବାଲାରେ ପ୍ରତିବାଦକାରୀମାନେ ଶାହପୁର ନିକଟରେ ଜିଟି ରୋଡ୍ ଏବଂ ରେଳପଥ ଅବରୋଧ କରିଥିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। କୃଷକ, କୃଷିଶ୍ରମିକ, କମିସନ୍ ଏଜେଣ୍ଟ୍ସ୍, ଟ୍ରେଡ୍ ୟୁନିୟନ୍ ଏବଂ ରାଜନୈତିକ ଦଳର କର୍ମକର୍ତ୍ତାମାନେ ରେଳପଥ ଓ ଜାତୀୟ ରାଜପଥ ଅବରୋଧ କରିଥିବାରୁ ପଞ୍ଜାବ ଓ ରହିୟାଣା ଖୁବ୍ ପ୍ରଭାବିତ ହୋଇଛି। କିନ୍ତୁ, କୌଣସି ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ଆସିନାହିଁ। କଂଗ୍ରେସ ଶାସିତ ପଞ୍ଜାବରେ କୃଷକ ସଙ୍ଗଠନର କର୍ମୀମାନେ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରି ଏହି ପ୍ରତିବାଦକୁ ସମର୍ଥନ କରିବା ଲାଗି ଲୋକମାନଙ୍କୁ କହୁଛନ୍ତି। କୃଷକ ସଙ୍ଗଠନ ସବୁ ଡାକରା ଦେଇଥିବା ଭାରତ ବନ୍ଦକୁ ସମର୍ଥନ କରି ଶିଖ୍ମାନଙ୍କର ସର୍ବୋଚ୍ଚ ଧାର୍ମିକ ସଂଗଠନ ‘ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ଆଜି ତା’ର କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଜରୁରୀ ମେଡିକାଲ୍ ସେବାରେ ନିମନ୍ତେ ଯାତାୟାତ କରୁଥିବା ଯାନବାହନଗୁଡ଼ିକୁ ଅବରୋଧକାରୀମାନେ ଛାଡ଼ି ଦେଉଛନ୍ତି।
More Stories
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..