ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଭାରତ ଯୋଡ଼ୋ ଯାତ୍ରା’ ପଞ୍ଜାବରେ ପହଂଚିଛି | ଆଜି ପଞ୍ଜାବରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆଜି ସକାଳେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ପଗଡ଼ି ପିନ୍ଧି ଗୁରୁଦ୍ବାର ଫତେଗଡ଼ ସାହିବରେ ପ୍ରାର୍ଥନା କରିଛନ୍ତି। ପଗଡ଼ି ଓ ଟି ସାର୍ଟ ପିନ୍ଧି ରାହୁଲ୍ ଗାନ୍ଧୀଙ୍କ ସହିତ ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର୍ ସିଂହ, ରାଜା ୱାରିଙ୍ଗ୍ ଏବଂ ଅନ୍ୟମାନେ ମଧ୍ୟ ଗୁରୁଦ୍ବାରକୁ ଯାଇଥିଲେ। ଏହି ଅବସରରେ କେନ୍ଦ୍ରର ‘ବିଜେପି’କୁ ସମାଲୋଚନା କରି ରାହୁଲ୍ ଗାନ୍ଧୀ କହିଛନ୍ତି, ସେମାନେ ଜାତି ଜାତି, ଭାଷା ଭାଷା ମଧ୍ୟରେ ବିବାଦ ସୃଷ୍ଟି କରାଇବାକୁ ଉଦ୍ୟମ କରୁଛନ୍ତି। ସେମାନେ ଦେଶର ସଦ୍ଭାବପୂର୍ଣ୍ଣ ବାତାବରଣର ଅଧୋଽପତନ କଲେଣି। ଆମେ ଚିନ୍ତା କରୁଛୁ ଦେଶକୁ ପ୍ରେମ, ଏକତା ଓ ଭ୍ରାତୃତ୍ବର ଭିନ୍ନ ମାର୍ଗ ଦେଖାଇବା ଆବଶ୍ୟକ। ତେଣୁ, ଆମେ ଏହି ଯାତ୍ରା ଆରମ୍ଭ କରିଛୁ। ଫତେଗଡ଼ ସାହିବ ବାହାରେ ସମବେତ ହୋଇଥିବା ସ୍ବଳ୍ପ ଜନତାଙ୍କୁ ରାହୁଲ୍ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, ଭାରତ ସବୁଠୁ ବଡ଼ ସମସ୍ୟା, ଘୃଣା, ହିଂସା, ବେକାରୀ ଏବଂ ମୁଦ୍ରସ୍ଫୀତି ପ୍ରସଙ୍ଗ ଉତ୍ଥାପନ କରିବା ସହିତ ଏହି ଯାତ୍ରା ଉପରୋକ୍ତ ସମସ୍ୟାଗୁଡ଼ିକ ବିପକ୍ଷରେ ସଂଗ୍ରାମ କରିବ। ଏହି ଯାତ୍ରାରେ ଆମେ ଲମ୍ବାଚୌଡ଼ା ଭାଷଣ ଦେଉନାହୁଁ। ଏହି ଯାତ୍ରା କହିବା ନିମନ୍ତେ ନୁହେଁ, ଶୁଣିବା ନିମନ୍ତେ। ଆମେ ସକାଳ ୬ଟାରେ ଉଠି ୨୫ କିଲୋମିଟର୍ ଚାଲୁଛୁ ଏବଂ ୬-୭ ଘଣ୍ଟା ଧରି ଆପଣମାନଙ୍କ କଥା ଶୁଣୁଛୁ। ତା’ପରେ ଯାଇ ଆମେ ୧୦ରୁ ୧୫ ମିନିଟ୍ ପାଇଁ ଆମ ମତ ଉପସ୍ଥାପନ କରୁଛୁ। ଏହି ଯାତ୍ରାର ପ୍ରାଣ ହେଲା ‘ଶୁଣିବା’।
More Stories
ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର…..
ବିଧାନସଭାରେ କାଗଜ ନୁହେଁ ଲାଗିଲା ଟ୍ୟାବ…..
କନିଷ୍ଠ ଶିକ୍ଷକଙ୍କର ବଢିଲା ଦରମା…..