ରିପୋର୍ଟ କାର୍ଡ / ଭୁବନେଶ୍ୱର
ଘରେ ୧୦ ବର୍ଷର ଛୁଆ । ତଥାପି ସୁନ୍ଦରିଆ ଯୁବକଙ୍କ ପ୍ରେମରେ ହୃଦୟ ଦୋହଲି ଗଲା । ଦେଢ ବର୍ଷର ମୋବାଇଲ ଚାଟିଂ ପ୍ରେମ ଶେଷରେ ବିବାହ ଯାଏଁ ପହଞ୍ଚିଲା । ହେଲେ ଲକ୍ ଡାଉନ୍ ସବୁ ବିଗାଡି ଦେଲା । ୯୦ ଦିନ ମନକୁ ସମ୍ଭାଳି ରଖିଲେ । ଶେଷରେ ସମ୍ପର୍କର ବାଡ ଡେଇଁ କାର୍ରେ ଛୁ ମାରୁଥିଲେ । ହେଲେ ଉଭୟଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ । କଳେବଳେ କୌଶଳେ ପ୍ରେମିକ ଜଣଙ୍କ ଖସି ପଳାଇଲା । ହେଲେ ଫସିଗଲେ କାର୍ ଡ୍ରାଇଭର । ବୋହେ ଛେଚା ଖାଇଲେ । ମଞ୍ଚେଶ୍ୱର ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମଞ୍ଚେଶ୍ୱର ଅଞ୍ଚଳର ଜଣେ ମହିଳାଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଲା । ପ୍ରେମ ଏପରି ବାଇଆ କଲା ଯେ ଘରେ ସ୍ୱାମୀ ଏବଂ ୧୦ ବର୍ଷର ପୁଅକୁ ଭୁଲିଗଲେ ମହିଳା । ଦେଢ ବର୍ଷ ବିବାଦ ଚାଲିବା ପରେ ଶେଷରେ ସ୍ୱାମୀଙ୍କୁ ଛାଡି ମହିଳା ଜଣଙ୍କ ନହରକଣ୍ଟା ସ୍ଥିତ ବାପ ଘରକୁ ଚାଲି ଆସିଥିଲେ । ଲକ୍ ଡାଉନ୍ ଯୋଗୁଁ ବାରମ୍ବାର ପ୍ରେମିକ ସାଙ୍ଗେ ଖସିି ଯିବାକୁ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲେ । ନିୟମ କୋହଳ ହେବା ପରେ ସୁଯୋଗ ଦେଖି ଖସିଯିବାକୁ ପ୍ଲାନ୍ କରିଥିଲେ । ପୂର୍ବ ଯୋଜନା ମୁତାବକ ପ୍ରେମିକ ଗାଡି ଆଣି ମହିଳାଙ୍କ ଘର ପାଖରେ ରଖିଥିଲେ । ମହିଳା ଜଣଙ୍କ ଘରୁ ଖସି ଆସି ଗାଡିରେ ବସି ଛୁ ମାରୁଥିଲେ । ହେଲେ ସବୁ ବିଗାଡି ଦେଲେ ସ୍ଥାନୀୟ ଲୋକେ । ମାଡି ବସିଥିଲେ । ପ୍ରେମିକ ବିଲ ଡେଇଁ ଖସିଯାଇଥିବା ବେଳେ ଫେରାର କରିବାକୁ ଆସିଥିବା ଗାଡି ଏବଂ ଡ୍ରାଇଭରକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ ସ୍ଥାନୀୟ ଲୋକେ ।
Discussion about this post