Report Card Odisha

| Daily Odia News

ଭୂମିହୀନ କୃଷକଙ୍କୁ କାଳିଆ କିସ୍ତି ସହ କରୋନା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ….

 ରିପୋର୍ଟ କାର୍ଡ / ଭୁବନେଶ୍ୱର

କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରକୁ ବୁଧବାର ୩୮୬ କୋଟି ଟଙ୍କାର କରୋନା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ଅତିରିକ୍ତ ୧ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଧାସଳଖ ଜମା କରାଯାଇଛି। ବୁଧବାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ। କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ମୋଟ ୧୨,୫୦୦ ଟଙ୍କା ପାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ, ଶ୍ରମିକ ଓ ଦିନ ମଜୁରିଆଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଅର୍ଥନୀତିର ନାଭିକେନ୍ଦ୍ର। ଏମାନେ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାନ୍ତି। କୃଷି କ୍ଷେତ୍ରରେ ସଫଳତା ପଛରେ ଭୂମିହୀନ ଚାଷୀଙ୍କ ତ୍ୟାଗ ଓ ପରିଶ୍ରମ ରହିଛି। ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱାମୀନାଥନ୍‌ ସମିତିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ସେ ସବୁବେଳେ ଦାବି କରି ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ସବୁବେଳେ ପ୍ରାଥମିକତା ହୋଇ ରହିଛି। କାଳିଆ ଯୋଜନା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଓ ମନରେ ଭରସା ଆଣିଛି, ଯେଉଁଥିପାଇଁ ଏହା ମୋର ସବୁଠାରୁ ପ୍ରିୟ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି। ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇଥିଲା। ଦ୍ୱିତୀୟ ଲହରରେ ତାଲାବନ୍ଦ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ ଓ ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଛନ୍ତି। କୋଭିଡ ବିରୋଧରେ ଲଢ଼େଇ ସମସ୍ତଙ୍କର। ଏଥିରେ ଜିତିବା ପାଇଁ ଚାଷୀ ଭାଇ ସମସ୍ତେ ଟିକା ନେବା ଓ କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

Breaking News