ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତଦନ୍ତକାରୀ ଟିମ୍ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ୩ ଘଣ୍ଟା ଧରି ଜେରା କରାଯାଇଥିଲା । ସୌମ୍ୟରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଖଣ୍ଡନ କରିଥିଲେ ଡିଏଫଓ । ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସଂପର୍କ ନଥିବା ଜେରା ବେଳେ ତଦନ୍ତକାରୀ ଟିମ୍ ଆଗରେ ସଂଗ୍ରାମ କେଶରୀ ପ୍ରକାଶ କରିଛନ୍ତି । ଜେରା ଶେଷ ହେବା ପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତେବେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି । ସେପଟେ କିନ୍ତୁ ଜେରା ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି ଡିଏଫଓ । ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଡିଏଫଓଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଜେରା । କଡା ସୁରକ୍ଷାବଳୟ ମଧ୍ୟରେ ନିଜ ସରକାରୀ ବସଭବନରୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡିଏଫଓ । ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିସାରିଥିଲେ । ଡିଏଫଓଙ୍କୁ ଜେରା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।
Discussion about this post