ରିପୋର୍ଟ କାର୍ଡ / ଭୁବନେଶ୍ୱର
ମା’ମାନଙ୍କୁ ବାଦ୍ ଦେଇ କୌଣସି ରାଜ୍ୟ କିମ୍ବା ରାଷ୍ଟ୍ରର ବିକାଶ ହୋଇପାରିବ ନାହିଁ। ଏହି କଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭରୁ ହୃଦ୍ବୋଧ କରିଛନ୍ତି। ସେଥିପାଇଁ ଓଡ଼ିଶାର ମହିଳାମାନେ ଆଜି ସଶକ୍ତ। ଗତ ଲୋକସଭା ନିର୍ବାଚନରେ ବିଜେଡି ୩୩% ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ୩୩% ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ପ୍ରବାଦ ପୁରୁଷ ବିଜୁ ବାବୁ ପଞ୍ଚାୟତ ନିର୍ବାଚନରେ ୩୩% ଆସନ ମହିଳାମାନଙ୍କୁ ଦେଇଥିଲେ। ନବୀନ ପଟ୍ଟନାୟକ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିଛନ୍ତି। ପ୍ରଥମ ଥର ପାଇଁ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଅନେକ ଲୋକଙ୍କ ବିରୋଧ ପାଇଁ ଏହି ବିଲ୍ ପାରିତ ହେବାରେ ବିଳମ୍ବ ହୋଇଥିଲା। ବିଜେଡିରେ ଅଧିକରୁ ଅଧିକ ମହିଳାଙ୍କୁ ଟିକଟ ଦେଲେ ଆଉ ଜିତାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ଏହି ଉଦ୍ୟମ ହିଁ ବିଜୁ ଜନତା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତିତ କରିଛି। ‘୫-ଟି’ ଅଧ୍ୟକ୍ଷ ଆହୁରି କହିଛନ୍ତି, ଗାଁରେ ରହୁଥିବା ସାଧାରଣ ମହିଳାଟିଏ ଆଜି ନିଜ ପାଇଁ ପରିଚୟ ସୃଷ୍ଟି କରିଛି। ନିଜେ ନିଷ୍ପତ୍ତି ନେଇପାରୁଛି। ୭୦% ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ମା’ମାନଙ୍କୁ ଦେଖିବାକୁ ଚାହୁଁଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାହାକୁ କାର୍ଯ୍ୟରେ ପରିଣତ କରି ସାରା ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟର ମହିଳାମାନଙ୍କ ବିକାଶରେ ଆପଣମାନେ ନିଜକୁ ଉତ୍ସର୍ଗ କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ ମହିଳା ବିଜେଡିର ନେତୃମଣ୍ଡଳୀଙ୍କୁ ପରାମର୍ଶ ଦେଇଛନ୍ତି। ବିଜୁ ମହିଳା ଜନତାଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……