ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଆସନ୍ତା ୨ରୁ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଡ. ଅରୁଣ କୁମାର ସାହୁ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ବଖାଣିବା ସହିତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ। ସେମାନେ କହିଥିଲେ, ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ ବିଭିନ୍ନସ୍ତରରେ ଜନସାଧାରଣଙ୍କ କ୍ଷୋଭ ବଢ଼ୁଛି। ପ୍ରଥମେ ଚାଷୀଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ। ଧାନ ଉତ୍ପାଦନ ପରେ ଧାନକିଣା ପ୍ରକ୍ରିୟା ଠିକ୍ ଭାବେ ହୋଇପାରୁ ନାହିଁ। ରାଜ୍ୟର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଚଳିତବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ଏବେ ସୁଦ୍ଧା ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନ୍ରୁ ମାତ୍ର ୨୯% ଅର୍ଥାତ ୨୫ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ଯାଇଛି। ଏବେ ସରକାର ଏହି ଧାନକିଣା ମାର୍ଚ୍ଚ ଯାଏଁ ଚାଲିବ ବୋଲି କହୁଛନ୍ତି। ଖରିଫ ଧାନକିଣା ବିଳମ୍ୱିତ ହେଲେ ଡାଳୁଅ ଧାନ ଚାଷ ପାଇଁ ଚାଷୀ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ହେବେ।ରାଜ୍ୟରେ ମଣ୍ଡି ଖୋଲିବାରେ ବିଳମ୍ୱ ହେବାରୁ କ୍ଷୁଦ୍ର ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ। ଅନ୍ୟପକ୍ଷରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ୪୦ ହଜାରରୁ ଅଧିକ ମହିଳା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଛି। ସାଧାରଣ ଲୋକେ ଏବେ ଥାନାକୁ ଯିବାକୁ ଭୟ କରୁଛନ୍ତି। ବିଜେଡି ସଭାପତିଙ୍କ ନିର୍ଦେଶକ୍ରମେ ଆସନ୍ତା ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ଜିଲ୍ଲାରେ ବିକ୍ଷୋଭ କରାଯିବ। ଫେବୃଆରୀ ୨୪ରେ ଭୁବନେଶ୍ବରରେ ଏକ ପ୍ରତିବାଦ ସଭା ହେବ। ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..