Report Card Odisha

| Daily Odia News

ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଆଗତ ଲକ୍ଷ୍ୟରେ ବିଜେପି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଗତ କିଛି ଦିନରେ ଭାରତୀୟ ରାଜନୀତିରେ ବଡ଼ ଧରଣର ହଲଚଲ୍‌ ଦେଖିବାକୁ ମିଳିଛି। ବିରୋଧୀ ‘ଇଣ୍ଡି’ ମେଣ୍ଟର ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ବିଭାଜନର ସୁଦୂରପ୍ରସାରୀ ଫାଇଦା ଉଠାଇବାକୁ ପ୍ରସ୍ତୁତ ହେଉଛି ବିଜେପି ନେତୃତ୍ୱାଧୀନ ଏନଡିଏ। ଆଗାମୀ ମୌସୁମୀ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ପୁନର୍ବାର ଆଗତ କରି ଏହାକୁ ପାରିତ କରାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ତଥା ଏନେଇ ସମଗ୍ର ରଣନୀତି ବୋଲି କୁହାଯାଉଛି।ଟିଏମସି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟରେ ବିଭାଜନ ପରେ, ଲୋକସଭାକୁ ନେଇ ବିଜେପିର ଆଶା ଯଥେଷ୍ଟ ବୃଦ୍ଧି ପାଇଛି। ସାମ୍ବିଧାନିକ ସଂଶୋଧନ ପାରିତ କରିବା ପାଇଁ ଆବଶ୍ୟକ ୩୬୨ର ‘ଯାଦୁକରୀ ସଂଖ୍ୟା’କୁ ଏନଡିଏ ଛୁଇଁ ପାରି ନଥିଲେ ସୁଦ୍ଧା ଏହାର ନିକଟତର ହୋଇଛି। ଅନ୍ୟ କେତେକ ଦଳର ସହଯୋଗରେ ଏନଡିଏ ପାଇଁ ଉଭୟ ସଭାରେ ୧୦ରୁ କମ୍‌ ଭୋଟର ଆବଶ୍ୟକତା ରହୁଥିବା ସାଂପ୍ରତିକ ରାଜନୈତିକ ଅଙ୍କରୁ ଜଣାପଡ଼ୁଛି। ସୂଚିତ ଯେ, ଗତ ଏପ୍ରିଲରେ ସରକାର ମହିଳା ସଂରକ୍ଷଣ ବିଲ୍‌ର ଏକ ଅଂଶ ଭାବେ ସୀମା ପୁନଃନିର୍ଦ୍ଧାରଣ ସହିତ ଜଡ଼ିତ ଏକ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ, କିନ୍ତୁ ଲୋକସଭାରେ ବିରୋଧୀ ଦଳର ମିଳିତ ପ୍ରୟାସ ଦ୍ବାରା ଏହି ବିଲ୍‌ ୫୪ଟି ଭୋଟରେ କାଟ୍‌ ଖାଇଥିଲା। ସମ୍ପ୍ରତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଗଭୀର ସଙ୍କଟରେ ପଡ଼ିଛି। ଦଳର ୨୮ ଲୋକସଭା ସାଂସଦଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ବିଦ୍ରୋହୀ ହୋଇ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)ରେ ମିଶି ଯାଇଛନ୍ତି ଏବଂ ଏନଡିଏକୁ ସମର୍ଥନ ଦେବାର ସଙ୍କେତ ଦେଇଛନ୍ତି। ଏହା ଏନଡିଏର ଶକ୍ତି ବଢ଼ାଇବାରେ ମୁଖ୍ୟ ଭୂମିକା ନେବ ବୋଲି ଆକଳନ କରାଯାଉଛି।

Breaking News