ରିପୋର୍ଟ କାର୍ଡ / ଲକ୍ଷ୍ନୌ
ସମାଜବାଦୀ ପାର୍ଟିର ସମର୍ଥକ ଓ ନେତାଙ୍କ ଘରେ ଆଜି ସକାଳେ ହଠାତ୍ ଆୟକର ବିଭାଗ ଚଢ଼ାଉ କରିଛି | ଏହି ଘଟଣାକୁ ନେଇ ରାଜନୀତି ଜୋରଧରିଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଇଟି ରେଡ୍ କରିବା ଘଟଣାକୁ ସମାଜବାଦୀ ସୁପ୍ରିମୋ ଅଖିଲେଶ ଯାଦବ ସହଜରେ ଗ୍ରହଣ କରିପାରିନାହାନ୍ତି। କ୍ଷମତାସୀନ ବିଜେପି ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ କଂଗ୍ରେସ ମଧ୍ୟ ଏପରି କରୁଥିଲା ବୋଲି ସେ କହିଛନ୍ତି। ଅଖିଲେଶ ଆଜି କହିଛନ୍ତି, “କଂଗ୍ରେସ ଯାହା କରୁଥିଲା, ଏବେ ବିଜେପି ସେହି ରାସ୍ତାରେ ଯାଉଛି। ଆପଣ ଯଦି କଂଗ୍ରେସର ପୁରୁଣା ଇତିହାସକୁ ଦେଖିବେ, ତା’ହେଲେ ଦଳ ଲୋକଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରୁଥିଲା। ଏବେ ବିଜେପି ସମାନ ନୀତି ଆପଣାଇଛି। ବିଜେପି ମନରେ ପରାଜୟର ଭୟ ଯେତିକି ବଢ଼ିବ, ବିରୋଧୀଙ୍କ ଠିକଣାରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ରେଡ୍ ସେତିକି ଜୋରଦାର ହେବ। କିନ୍ତୁ ସମାଜବାଦୀ ପାର୍ଟିର ରଥଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପୂର୍ବଭଳି ଜାରି ରହିବ। ବିଜେପି ୨୦୧୭ ନିର୍ବାଚନ ବେଳେ ରାମ ରାଜ୍ୟ ଆସିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ଦଳ ନିଜର ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ସମାଜବାଦ ନୀତି ନିଶ୍ଚିତ ରାମ ରାଜ୍ୟ ଆଣିପାରିବ। ଯଦି ସାମାଜବାଦ ଆସିବ, ତା’ହେଲେ ଆମେ ରାମ ରାଜ୍ୟ ପାଇପାରିବା। ବିଜେପି କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଲୋକଙ୍କ ଆଗରେ ବିଜେପିର ଅସଲ ମୁଖା ଖୋଲି ଯାଇଛି।”ସୂଚନାଯୋଗ୍ୟ, ଆଜି ସକାଳୁ ବାରାଣସୀ ଆୟକର ବିଭାଗର ଗୋଟିଏ ଟିମ୍ ମାଉରେ ପହଞ୍ଚିଥିଲା। ଏହାପରେ ସାହାଦତପୁର ଅଞ୍ଚଳରେ ଥିବା ସପାର ସାଧାରଣ ସମ୍ପାଦକ ରାଜୀବ ରାୟଙ୍କ ବାସଭବନରେ ରେଡ଼ କରିଛି ।






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..