Report Card Odisha

| Daily Odia News

ରାଜଧାନୀରେ ଫଳକ ରାଜନୀତି,ବିଧାୟକଙ୍କ ନାଁ ରେ ବୋଳିଲେ କଳା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରର ୩ଟି ସ୍ଥାନରେ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଓ୍ବାର୍ଡ ନଂ. ୩୭ ଅନ୍ତର୍ଗତ କସ୍ତୁରବା ସ୍କୁଲ ନିକଟ, ଓ୍ବାର୍ଡ ନଂ. ୬୭ର ସୁନ୍ଦରପଦା ହାଟ ଏବଂ ଓ୍ବାର୍ଡ ନଂ.୫୫ ଅନ୍ତର୍ଗତ ରଥ ରୋଡ୍‌ରେ ଶୌଚାଳୟ ଖୋଲିଛି | ହେଲେ ୨ଟି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କସ୍ତୁରବା ସ୍କୁଲ ନିକଟ ଶୌଚାଳୟ ଉଦ୍‌ଘାଟନ ପାଇଁ ଲାଗିଥିବା ଫଳକରେ ରହିଥିବା ନଁାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ନିର୍ଦ୍ଧାରିତ ସମୟରେ ଉଦ୍‌ଘାଟନ କରିବାକୁ ମେୟର, ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟରଙ୍କ ସହ ଅନ୍ୟମାନେ ପହଞ୍ଚିଥିଲେ । ତେବେ ଫଳକରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ନାମ ଲେଖା ହୋଇଥିବାବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନାଁ ନ ଥିଲା। ଏହାକୁ ନେଇ ଅସନ୍ତୋଷ ଦେଖାଦେବାବେଳେ କେତେଜଣ ସ୍ଥାନୀୟ ଲୋକ ଫଳକରେ ଥିବା ବିଧାୟକଙ୍କ ନାମରେ କଳା ବୋଳି ଦେଇଥିଲେ। ମେୟର ସୁଲୋଚନା ଦାସ ଏହାଦେଖି ରାଗିଯିବା ସହିତ ସମ୍ପୃକ୍ତ ଓ୍ବାର୍ଡରେ ଆଉ କୌଣସି ଉନ୍ନତିମୂଳକ କାମ ହେବନାହିଁ ବୋଲି କହି ଚାଲିଯାଇଥିଲେ। ଏନେଇ ବନ୍ଦିତା କହିଛନ୍ତି, ମୋ ଓ୍ବାର୍ଡରେ ସ୍ଥାନୀୟ କର୍ପୋରେଟରଙ୍କ ତତ୍ତ୍ୱାବଧାନରେ ସୁଲଭ ଶୌଚାଳୟ ନିର୍ମାଣ ହେଉଥିବାବେଳେ ଏହାର ଉଦ୍‌ଘାଟନ ତାରିଖଠାରୁ ଆରମ୍ଭ କରି ଅତିଥି ପର୍ଯ୍ୟନ୍ତ ସବୁକିଛି ବିଏମ୍‌ସି ନିର୍ଦ୍ଧାରିତ କରିଛି। ଅତିଥି ଭାବେ ମୋତେ ନିମନ୍ତ୍ରଣ କାର୍ଡ ପଠାଯାଇଛି। ସେହିପରି ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇ ଫଳକରେ କଳା ବୋଳିଥିଲେ। ତେଣୁ ଏହାକୁ ନେଇ ମେୟର ଏଭଳି ପ୍ରତିକ୍ରିୟା ଦେବା ଆଦୌ ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷେ ଓ୍ବାର୍ଡ ନଂ. ୬୭ରେ ଉଦ୍‌ଘାଟିତ ହୋଇଥିବା ସୁଲଭ ଶୌଚାଳୟରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ଲେଖାଥିବାବେଳେ ବିଧାୟକଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଉଦ୍ଘାଟନ ଉତ୍ସବକୁ ସ୍ଥଗିତ ରଖ ଯାଇଥିବା ଜଣାପଡିଛି |

Breaking News