Report Card Odisha

| Daily Odia News

ବିଶ୍ବସ୍ତରୀୟ ହେବ ବାଲେଶ୍ବର ରେଳଷ୍ଟେସନ……

ରିପୋର୍ଟ କାର୍ଡ / ବାଲେଶ୍ବର

ବାଲେଶ୍ବର ରେଳଷ୍ଟେସନ ହେବ ବିଶ୍ୱ ସ୍ତରୀୟ | ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅର୍ଥ ମଞ୍ଜୁର କରିଛନ୍ତି। ପାରମ୍ପରିକ ବାଲେଶ୍ବର ସ୍ଥାପତ୍ୟ ଦ୍ବାରା ଅନୁପ୍ରାଣିତ ହୋଇ ଏହି ଷ୍ଟେସନର ଡିଜାଇନ ପ୍ରସ୍ତୁତ କରାଯାଇଛି। ରେଳଷ୍ଟେସନ ସମ୍ମୁଖରେ କୋଣାର୍କ ମନ୍ଦିର ଚକର ଡିଜାଇନ ରହିଥିବା ବେଳେ ଷ୍ଟେସନ ବିଲ୍ଡିଂ ଉପରେ ପୁରୀ ଶ୍ରୀମନ୍ଦିରର ଶିଖର ସ୍ଥାନ ପାଇବ। ଏହା ସହିତ ବିଲ୍ଡିଂରେ ସଉରା ଆଦିବାସୀଙ୍କ ଚିତ୍ର ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ଏକ ନିଆରା ଝଲକ ଦେଖିବାକୁ ମିଳିବ। ଏହି ଷ୍ଟେସନରେ ପ୍ରତିଦିନ ୫୦ ହଜାର ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ରହିବ। ୧୮ ମିଟର ଚଉଡ଼ା ରୁଫ୍‌ ପ୍ଲାଜା ଦ୍ବାରା ଷ୍ଟେସନ ସହରର ଉଭୟ ପାର୍ଶ୍ବକୁ ସଂଯୋଗ କରିବ। ସର୍କୁଲାର କ୍ଷେତ୍ରର ଉନ୍ନତି, କଭର ସେଡର ଯୋଗାଣ, ୱେଟିଂ ହଲ୍‌ର ଉନ୍ନତି ଏବଂ ଏସି ଲାଉଞ୍ଜ ନିର୍ମାଣ କାର୍ଯ୍ୟ କରାଯିବ।ଏହି ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏକ୍ସାଲେଟର ଏବଂ ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍‌ ରହିବ। ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ୩ଟି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ। ସମସ୍ତ ପ୍ଲାଟଫର୍ମଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ କରାଯିବ। ଏଥିସହ ୭ହଜାର ବର୍ଗ ମିଟରରୁ ଅଧିକ ପ୍ରଶସ୍ତ ପାର୍କିଂର ବିକାଶ କରାଯିବ। ଅଙ୍ଗାରକାମ୍ଳ ପ୍ରିଣ୍ଟ ହ୍ରାସ କରିବା ପାଇଁ ୧୩୩ କିଲୋୱାଟ୍‌ର ଏକ ସୋଲାର ପ୍ୟାନେଲ, ୧ହଜାର କେଏଲ୍‌ଡି ୱାଟର ରିସାଇକ୍ଲିଂ ପ୍ଲାଣ୍ଟ୍‌ ମଧ୍ୟ ନିର୍ମାଣ କରାଯିବ। ସେହିପରି ମାଲ ପରିବହନ କାର୍ଯ୍ୟକୁ ବଢ଼ାଇବା ପାଇଁ ସାମଗ୍ରୀ ସେଡ୍‌ର ମଧ୍ୟ ଉନ୍ନତି କରାଯିବ। ଏହା ଆସନ୍ତା ୫୦ ବର୍ଷକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି। ​ତେବେ ଷ୍ଟେସନର ନିର୍ମାଣ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି।

Breaking News