ରିପୋର୍ଟ କାର୍ଡ / ଭୁବନେଶ୍ୱର
ନଗର ଉନ୍ନୟନ ମନ୍ତ୍ରୀ ରାଜଧାନୀବାସୀଙ୍କ ସମସ୍ୟା ଓ ଅଧପନ୍ତରିଆ ପ୍ରକଳ୍ପର ସମୀକ୍ଷା କରିବା ବେଳେ, ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ବିଏମ୍ସିର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଥିଲେ | ମନ୍ତ୍ରୀ ଓ ବାକି ଅଧିକାରୀଙ୍କୁ ଛାଡ଼ି ମେୟର ସେଠାରୁ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳର ଦୁଃସ୍ଥିତି ସଂପର୍କରେ ଜଣାଇବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିମନ୍ତ୍ରଣ କରିଥିଲେ ସ୍ଥାନୀୟ ଲୋକେ। ଲୋକଙ୍କ ନିମନ୍ତ୍ରଣ ରକ୍ଷା କରି ଗ୍ରାଉଣ୍ଡ୍ ରେ ପହଞ୍ଚିଥିଲେ ମନ୍ତ୍ରୀ। ସେ ଏକା ଆସିନଥିଲେ। ତାଙ୍କ ସହିତ ଆସିଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କମିଶନର, ବରିଷ୍ଠ ଅଧିକାରୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ। ରାସ୍ତାରେ ଚାଲିଚାଲି ସ୍ଥିତି ପରଖିଥିଲେ ମନ୍ତ୍ରୀ। କାଦୁଅ ରାସ୍ତା ଦେଖିଥିଲେ ମନ୍ତ୍ରୀ। ରାସ୍ତାରେ ଖାଲଖମାରେ ପାଣି ରହିଥିଲା | ତେବେ ଐତିହାସିକ ଧୋବା ପୋଖରୀ ବୁଲି ଦେଖିବା ବେଳେ ମନ୍ତ୍ରୀଙ୍କ ସାମ୍ନାରେ ମେୟରଙ୍କୁ ଅସନ୍ତୋଷ ଝାଡ଼ିଥିଲେ ଲୋକେ। କହିଥିଲେ ୨୦୧୬ରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଧୋବା ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଏବେବି ଅଧପନ୍ତରିଆ ପଡ଼ିଛି। ୨୨ ଏକର ପୋଖରୀରୁ ଏବେ ମାତ୍ର ୯ ଏକର ଅଛି। ବାକି ଜମି ନେତା ଓ ବିଲଡରଙ୍କ ଜବରଦଖଲରେ ରହିଛି। ଏଥିସହ ଅନ୍ୟାନ୍ୟ ମୌଳିକ ସମସ୍ୟା ସଂପର୍କରେ ବି ଲୋକଙ୍କ ଠାରୁ ଶୁଣିବା ପରେ, ତାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..