ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀର ଗୋଟାଏ ହୋଟେଲ୍ ରୁମ୍ରେ ୨୬ ବର୍ଷୀୟ ସ୍ତ୍ରୀଙ୍କୁ ‘ସ୍କୃଡ୍ରାଇଭର୍’ର ଭୁସି ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ରିଟିସ୍ ପର୍ଯ୍ୟଟକ ଗିରଫ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ମଙ୍ଗଳବାର ଦିନ ସ୍ଥାନୀୟ ସମୟ ୧୨.୩୦ରେ ଫାତି ମେଓଲାନାକାପି ଜିଲ୍ଲାସ୍ଥିତ ଗୋଟାଏ ହୋଟେଲ୍ରୁ ସେ ୨୬ ବର୍ଷୀୟ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ଦମ୍ପତି ରହୁଥିବା ପ୍ରକୋଷ୍ଠରୁ ଚିତ୍କାର ଶୁଭିବା ଓ ପରେ ମହିଳାଜଣକ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିଥିଲେ ବୋଲି ହୋଟେଲ୍ କର୍ମଚାରୀମାନେ କହିଛନ୍ତି। ସୂଚନା ପାଇ ଡାକ୍ତରୀ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେ ମହିଳା ମୃତା ବୋଲି ଔପଚାରିକ ଭାବେ ଘୋଷଣା କରିଥିଲେ। ମହିଳାଙ୍କ ତଣ୍ଟି ଓ ଦେହ ସାରା ହୋଇଥିବା ୪୧ଟି କ୍ଷତ ‘ସ୍କୃଡ୍ରାଇଭର୍’ ଆଘାତରୁ ସୃଷ୍ଟ ବୋଲି ତଦନ୍ତକାରୀମାନେ କହିଛନ୍ତି। ତଦନ୍ତ ଆରମ୍ଭ କରି ତୁର୍କୀ ପୋଲିସ ୨୮ ବର୍ଷିୟ ସ୍ବାମୀଙ୍କୁ ଗିରଫ କରି ଥାନାକୁ ନେଇଛନ୍ତି। ରକ୍ତଛିଟା ପଡ଼ିଥିବା ଟି-ସାର୍ଟ ପିନ୍ଧି ସେ ହୋଟେଲ୍ରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଥାନାରେ ଜେରା କରାଯିବାରୁ ସେ ହତ୍ୟା କରିଥିବା କଥା ସ୍ବୀକାର କରିବା ସହିତ ‘ସ୍କୃଡ୍ରାଇଭର୍’ଟିକୁ ଠିକ୍ କେଉଁ ଜାଗାରେ ପକାଇଛନ୍ତି ତାହା ବି କହିଲେ। ତାଙ୍କ କହିବା ଅନୁଯାୟୀ, ତଲାସ କରି ହୋଟେଲ୍ର ଶୌଚାଳୟରୁ ଉକ୍ତ ପୋଲିସ ଉକ୍ତ ‘ସ୍କୃଡ୍ରାଇଭର୍’ଟିକୁ ଉଦ୍ଧାର କଲେ। ନରହତ୍ୟା ଅଭିଯୋଗରେ ଏବେ ସେ ବ୍ରିଟିସ୍ ପର୍ଯ୍ୟଟକ ଜେଲ୍ରେ ଅଛନ୍ତି। କେବଳ ଏତିକି ନୁହେଁ, ତୁର୍କୀରେ ତାଙ୍କୁ ‘ହୋମିସାଇଡ୍ ବ୍ୟୁରୋ’ ବି ଜେରା କରିଛି। ସେମାନଙ୍କୁ ସେ କହିଛନ୍ତି ଯେ, ଆକ୍ରମଣ ଦିନ ସ୍ତ୍ରୀ ତାଙ୍କୁ ଡ୍ରଗ୍ ଦେଇ ଥିଲେ। ଡ୍ରଗ୍ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। କିନ୍ତୁ, ତାଙ୍କ ପାଖରୁ କି, ହୋଟେଲ୍ ରୁମ୍ରୁ କୌଣସି ଡ୍ରଗ୍ ମିଳିନାହିଁ। ମାନସିକ ଅବସାଦ ଦୂର ନିମନ୍ତେ ଔଷଧ ଖାଉଥିବା ଏବଂ ପ୍ରମାଣ ଲୁଚାଇ ଘଟଣାସ୍ଥଳରୁ ଖସି ପଳାଉଥିଲେ ବୋଲି ମଧ୍ୟ ସେ ଦେଇଥିବା ବୟାନରେ କହିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..