ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ସ୍ଥଗିତ ଘୋଷଣା କରିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଛି । ଘରୋଇ ବସ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ମୋଟ ୧୦ଟିରୁ ୩ଟି ଦାବି ମାନି ନେଇଛନ୍ତି । ବାକି ଦାବିଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯେହେତୁ ରାଜ୍ୟ ସରକାର ୩ଟି ମୌଳିକ ଦାବିକୁ ମାନି ନେଇଛନ୍ତି ତେଣୁ ବସ୍ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୩୧ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।ରାଜ୍ୟ ସରକାର ନିଜର ଗାଡ଼ି ସ୍କ୍ରାପିଂ ନୀତିର ପୁନର୍ବିଚାର କରିବା ଦାବିକୁ ଗ୍ରହଣ କରିଛନ୍ତି ଓ ୧୫ବର୍ଷ ପୁରୁଣା ଗାଡ଼ି ପରିବର୍ତ୍ତେ ୨୦ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ଚାଲି ପାରିବ ବୋଲି ସହମତ ହୋଇଛନ୍ତି । ଦିନବେଳା ସ୍ଲପିର କୋଚ୍ ବସ୍ ଚଳାଇବାକୁ ସରକାର ଅନୁମତି ଦେବା ସହ ପରମିଟ୍ ଟ୍ରାନ୍ସଫରକୁ କାର୍ଯ୍ୟକାରୀ କରିବା ଦାବିକୁ ମଧ୍ୟ ମାନି ନେଇଛନ୍ତି । ତେବେ ଅନ୍ୟ ଦାବିଗୁଡ଼ିକ ଉପରେ ବିଚାର କରିବାକୁ ସରକାର ଅଧିକ ସମୟ ମାଗିଛନ୍ତି । ଯଦି ସେସବୁ ଦାବି ମାର୍ଚ୍ଚ ୩୧ତାରିଖ ସୁଦ୍ଧା ପୂରଣ ନହୁଏ ତା’ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
More Stories
ପାକିସ୍ତାନରେ ଟ୍ରେନ୍ ହାଇଜାକ,୧୨୦ ପଣବନ୍ଦୀ…..
ତାରାଙ୍କ ପାଇଁ ବାହାରିଲା ବିଜେଡି…..
‘ଜୟନାରାୟଣଙ୍କ ବିବୃତି ସହ ସରକାର ସହମତ ନୁହେଁ’…..