Report Card Odisha

| Daily Odia News

ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ମହିଳା ସବଇନ୍ସପେକ୍ଟର ହେଲେ ସ୍ନେହାମଞ୍ଜରୀ ସାହୁ ଓ ଗିରଫ ସାମ୍ବାଦିକ ହେଲେ ସଞ୍ଜୟ ଜେନା। ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଅପହରଣ ମାମଲାର ଗିରଫଦାରୀ ୪କୁ ବୃଦ୍ଧି ପାଇଛି। ପୂର୍ବରୁ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁ ଓ ବଲାଙ୍ଗୀର ତୁଳସୀନଗରର ସଞ୍ଜିତ ବେହେରାଙ୍କୁ ଗିରଫ କରିଥିଲା। ଆଜି ଗିରଫ ହୋଇଥିବା ମହିଳା ସବଇନ୍ସପେକ୍ଟର ସ୍ନେହାମଞ୍ଜରୀ ସାହୁ ହେଉଛନ୍ତି ଏହି ଅପହରଣ ଘଟଣାର ମାଷ୍ଟରମାଇଣ୍ଡ କ୍ଷୀତିଶ ଚନ୍ଦ୍ର ସାହୁଙ୍କ ନିଜ ଭଉଣୀ। ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ତାଙ୍କ ଭଉଣୀ ସବ୍‌ଇନ୍ସପେକ୍ଟର ସ୍ନେହାମଞ୍ଜରୀ ଓ ଖବରଦାତା ସଞ୍ଜୟ ଜେନାଙ୍କ ସହ ମିଳିତ ଭାବେ ଅପହରଣ ଷଡ଼ଯନ୍ତ୍ର କରିଥିଲେ। ଏହା ସହିତ ବଲାଙ୍ଗୀର ପୋଲିସ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଓ ବଲାଙ୍ଗୀର ସହରର କିଛି ଲୋକଙ୍କୁ ଉଠାଇ ପଚରାଉଚରା କରୁଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିସାରିଛି ଓ ଘଟଣାର ବିଭିନ୍ନ ଆପରାଧିକ ଦିଗକୁ ତର୍ଜମା କରୁଛି। ଏହି ଘଟଣାରେ ଆଗକୁ ଗିରଫଦାରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି।

Breaking News